Latest Odisha News

BREAKING NEWS

ଆସନ୍ତାକାଲି ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା: ବିଭିନ୍ନ ଜିଲ୍ଲା ପାଇଁ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁଭାରମ୍ଭ କରିବେ। କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳ ସମାବେଶରେ ଏହାର ଶୁଭାରମ୍ଭ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ସେହିପରି ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ସାମିଲ ହେବେ। ସେଥିପାଇଁ ରାଜ୍ୟ ସରକରାଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କଟକର ବାଲିଯାତ୍ରା ପଡ଼ିଆରେ ଅପରାହ୍ନ ୨.୩୦ ରେ ନଡ୍ଡା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ପ୍ରବତୀ ପରିଡା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବେ।

ଓଡ଼ିଶାର ତିନି ଜଣ କେନ୍ଦ୍ର ମନ୍ତ୍ରୀ – ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟର ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର (PHC) ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିବେ। ଯୋଜନାର ଶୁଭାରମ୍ଭ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ଏବଂ ରାଜ୍ୟ ମନ୍ତ୍ରୀମାନେ ଯୋଗଦେବେ।


ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ନଡ୍ଡା ଆସନ୍ତା ଦଶ ତାରିଖ ସଂଧ୍ୟାରେ ଓଡିଶା ଆସିବେ। ସେ ଭୁବନେଶ୍ବରରେ ରାତ୍ରୀଯାପନ କରିବା ପରେ ଏଗାର ତାରିଖରେ ସେ କଟକ ଯିବେ। ସେଠାରେ ସେ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ୧.୩ କୋଟି ପରିବାରର ପ୍ରାୟ ୩.୫୦ କୋଟି ଲୋକ ଏହି ମିଳିତ ଯୋଜନାରୁ ଉପକୃତ ହେବେ, ଯାହାର ନାମ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (AB-GJAY) ରଖାଯାଇପାରେ। ଏହା ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା କଭରେଜ୍ ପ୍ରଦାନ କରିବ ଏବଂ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଦେଶର ୨୯,୦୦୦ ପଞ୍ଜିକୃତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ହିତାଧିକାରୀମାନେ ମାଗଣାରେ ନଗଦମୁକ୍ତ ଚିକିତ୍ସା ପାଇବେ।

Comments are closed.