ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଶ୍ରେଷ୍ଠ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ନିକଟରେ ଚଳଚ୍ଚିତ୍ରର ନିର୍ମାତା ଏହି ବିଶେଷ ଘୋଷଣା କରିଛନ୍ତି।
ଆୟୁଷ୍ମାନଙ୍କୁ ‘ଅନ୍ଧାଧୁନ୍’ ଚଳଚ୍ଚିତ୍ର ପାଇଁ ଶୁକ୍ରବାର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହାସହିତ ଗତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’କୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁରେଖା ସିକରୀ ମଧ୍ୟ ଏକ ଜାତୀୟ ପୁରସ୍କାର ନିଜ ନାଁରେ କରିଛନ୍ତି।
ଚଳଚ୍ଚିତ୍ରର ଏହି ବିଜୟ ଓ ଲୋକପ୍ରିୟତା ଦେଖି ‘ବଧାଇ ହୋ’ର ନିର୍ମାତାମାନେ ଏହାର ସିକ୍ୱେଲ ନିର୍ମାଣ କାରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି ।
ସୂଚନାଯୋଗ୍ୟ, ‘ବଧାଇ ହୋ’ ଗତ ବର୍ଷର ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଖାଲି ଏହାର ସିକ୍ୱେଲ ନୁହେଁ ଚଳଚ୍ଚିତ୍ରର ରିମେକ୍ ମଧ୍ୟ କରାଯାଉଛି। ‘ବଧାଇ ହୋ’କୁ ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟଲମ ଭାଷାରେ ରିମେକ୍ କରାଯାଉଥିବାର ଶୁଣିବାକୁ ମିଳୁଛି ।
Comments are closed.