Latest Odisha News

BREAKING NEWS

କଂଗ୍ରେସକୁ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଶୁକ୍ରବାର ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ତାଙ୍କୁ ବାନ୍ଦ୍ରା ଇଷ୍ଟରୁ ଟିକେଟ ଦେଇଛି ଦଳ।

ଅଜିତ ପାୱାର ଏନସିପି ଦଳରେ ଯୋଗଦେବା ମାତ୍ରେ ଦଳ ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ। ଏଥର ମଧ୍ୟ ସେ ତାଙ୍କ ପୁରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ବାନ୍ଦ୍ରା ଇଷ୍ଟରୁ ନିର୍ବାଚନ ଲଢିବେ। ଜିଶାନ ଏବେ କଂଗ୍ରେସ ବିଧାୟକ ରହିଛନ୍ତି। କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା।

ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନଙ୍କ ସହ ଏନସିପି ଅଜିତ ପାୱାର ଦଳରେ ଆଉ ଚାରିଜଣ ନେତା ଯୋଗ ଦେଇଛନ୍ତି। ଏହି ନେତାଙ୍କ ମଧ୍ୟରେ ତସଗାଓଁ କଭାଥେରୁ ସଞ୍ଜୟ କାକା ପାଟିଲ, ୱାରୁଦ ମୁର୍ସିରୁ ଦେବେନ୍ଦ୍ର ଭୁୟାର, ଇସଲାମପୁରର ନିଶିକାନ୍ତ ପାଟିଲ ଏବଂ ପୂର୍ବତନ ଭାଜପା ଏମ୍‌ପି ତଥା ଲୋହା କାନ୍ଦାହାରର ପ୍ରତାପ ଚିଖଲିକର ଅଛନ୍ତି।

ଅଜିତ ପାୱାର ଦଳରେ ଯୋଗଦେବା ପରେ ଜିଶାନ କହିଛନ୍ତି, ଏନସିପି ସହ କାମ କରିବା କିଛି ନୂଆ କଥା ନୁହେଁ। ପୂର୍ବ ନିର୍ବାଚନରେ ଆମେ ଏନସିପି ସହିତ କାମ କରିଥିଲୁ। ବର୍ତ୍ତମାନ ଏପ୍‌ସିପିରେ କାମ କରବାକୁ ଆହୁରି ଇଚ୍ଛୁକ। ଜିଶାନ କହିଛନ୍ତି, ଏହା ମୋ ଏବଂ ମୋ ପରିବାର ପାଇଁ ଏକ ଭାବପ୍ରବଣ ଦିନ। ଏହି କଠିନ ସମୟରେ ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ, ସୁନୀଲ ଟାଟକରଙ୍କୁ କୃତଜ୍ଞ ଜଣାଉଛି।

ଅକ୍ଟୋବର ୧୨ରେ, ଏନସିପି ନେତା ବାବା ସିଦ୍ଦିକିଙ୍କୁ ଜିଶାନଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଦାୟୀ ବୋଲି କହିଥିଲେ। ସଲମାନ ଖାନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।

ଆପଣଙ୍କୁ କହିରଖୁଛୁ ଯେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ ନାମ କଂଗ୍ରେସର ପ୍ରଥମ ତାଲିକାରୁ ହଜିଯାଇଥିଲା। ବାନ୍ଦ୍ରା ପୂର୍ବ ବିଧାନସଭାର ବର୍ତ୍ତମାନର କଂଗ୍ରେସ ବିଧାୟକ ହେଉଛନ୍ତି ଜିଶନ୍ ସିଦ୍ଦିକି। ଜିଶାନଙ୍କ ପିତା ବାବା ସିଦ୍ଦିକି କିଛି ସମୟ ପୂର୍ବରୁ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ନିକଟରେ ଜିଶାନ ମଧ୍ୟ ଅନେକ ସମାବେଶରେ ଅଂଶଗ୍ରହଣ କରିଥିଲେ ଏବଂ ଅଜିତ ପାୱାରଙ୍କ ସହ ମଞ୍ଚ ବାଣ୍ଟିଥିଲେ। ଜିଶାନଙ୍କ ବିଦ୍ରୋହୀ ସ୍ୱରକୁ ଦେଖି କଂଗ୍ରେସ ତାଙ୍କୁ ତାଲିକାରୁ ଦୂରେଇ ରଖିଛି।

Leave A Reply

Your email address will not be published.