Latest Odisha News

ପୁଣି କ୍ୟାପଟେନସି ଛାଡିଲେ ବାବର : ସୋସିଆଲ ମିଡିଆରେ ପରିହାସର ପାତ୍ର

ନୂଆଦିଲ୍ଲୀ: ପୁଣି ଥରେ ଭୁଲ୍ କାରଣରୁ ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ । ଚର୍ଚ୍ଚା ହେଉଛି ବାବର ଆଜମଙ୍କୁ ନେଇ । ଖରାପ ବ୍ୟାଟିଂ ଫର୍ମ ନେଇ ବାବର ଆଜମ କଡା ସମାଲୋଚନାର ସମ୍ମୁଖୀନ ହୋଇଥିବା ବେଳେ ଏବେ ପାକିସ୍ତାନ ହ୍ୱାଇଟ ବଲ୍ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦିନିକିଆ ଓ ଟି-୨୦ ଟିମ୍‌ର ଅଧିନାୟକ ପଦ ଛାଡିଛନ୍ତି ବାବର ଆଜମ । ଗତବର୍ଷ ପାକିସ୍ତାନ ଦିନିକିଆ ବିଶ୍ୱକପରେ ବିଫଳ ହେବା ପରେ ଅଧିନାୟକ ପଦ ଛାଡିଥିଲେ ବାବର । ପାକିସ୍ତାନର ଅଲ୍ ଫର୍ମାଟ କ୍ୟାପଟେନ ଥିଲେ ବାବର ଆଜମ । ଆଜମଙ୍କ ପରେ ପେସର୍ ସାହିନ ଆଫ୍ରିଦିଙ୍କୁ ହ୍ୱାଇଟ ବଲ୍ ଫର୍ମାଟରେ ପାକିସ୍ତାନ ଦଳର କ୍ୟାପଟେନ କରାଯାଇଥିଲା ଓ ସାନ ମାସୁଦଙ୍କୁ ଦିଆଯାଇଥିଲା ଟେଷ୍ଟ ଦଳର ନେତୃତ୍ୱ । ତେବେ, ଖୁବ୍ ଶୀଘ୍ର ସାହିନ ଆଫ୍ରିଦିଙ୍କୁ ହଟାଯାଇଥିଲା। ଏବର୍ଷ ମାର୍ଚ୍ଚରେ ପାକିସ୍ତାନ ଟିମର ପୁଣି କ୍ୟାପଟେନ ହୋଇଥିଲେ ବାବର ଆଜମ । କେବଳ ସୀମିତ ଓଭର ଫର୍ମାଟରେ ବାବରଙ୍କୁ ଜାତୀୟ ଦଳର ଅଧିନାୟକ କରାଯାଇଥିଲା । ହେଲେ ବାବରଙ୍କ ନେତୃତ୍ୱରେ ପାକିସ୍ତାନ ଟି-୨୦ ବିଶ୍ୱକପରେ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡିଥିଲା । ଏପରିକି ପାକିସ୍ତାନ ଆମେରିକାଠାରୁ ହାରିଥିଲା । ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଧିନାୟକ ପଦ ଛାଡିଛନ୍ତି ପାକିସ୍ତାନର ଷ୍ଟାର ବ୍ୟାଟର୍ ।

ବାବରଙ୍କ ନେତୃତ୍ୱରେ ପାକିସ୍ତାନ ଫ୍ଲପ୍

୨୦୧୯ରେ ପାକିସ୍ତାନ କ୍ରିକେଟ ଟିମର ଅଲ୍ ଫର୍ମାଟ କ୍ୟାପଟେନ ଥିଲେ ବାବର ଆଜମ । ହେଲେ ବାବରଙ୍କ ନେତୃତ୍ୱରେ ପାକିସ୍ତାନ ବିଶ୍ୱକପ୍ ସମେତ ୬ଟି ଟୁର୍ଣ୍ଣାମେଂଟ ଖେଳିଥିଲେ ମଧ୍ୟ ଗୋଟିଏ ବି ଜିତିପାରିନାହିଁ । ୨୦୨୨ରେ ବାବରଙ୍କ ନେତୃତ୍ୱରେ ପାକିସ୍ତାନ ଟି-୨୦ ବିଶ୍ୱକପର ଫାଇନାଲରେ ପଂହଚି ରନର୍ ଅପ ହୋଇଥିଲା। ଗତବର୍ଷ ଭାରତରେ ହୋଇଥିବା ଦିନିକିଆ ବିଶ୍ୱକପ୍ ଓ ଏବର୍ଷ ଟି-୨୦ ବିଶ୍ୱକପରେ କ୍ୟାପଟେନସି ସମେତ ବାବରଙ୍କ ବ୍ୟାଟିଂ ବି ଫ୍ଲପ ହୋଇଥିଲା । ସବୁ ଫର୍ମାଟରେ ବ୍ୟାଟିଂ ବି କ୍ଲିକ୍ କରିନଥିବାରୁ ସମାଲୋଚନାର ସରବ୍ୟ ହୋଇଛନ୍ତି ବାବର। ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ବାବର ହ୍ୱାଇଟ୍ ବଲ୍ କ୍ୟାପଟେନସି ଛାଡିଥିବା ଚର୍ଚ୍ଚା ହେଉଛି । ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ଅଧିନାୟକ ପଦରୁ ଇସ୍ତଫା ଦେଇଥିବାରୁ ସୋସିଆଲ ମିଡିଆରେ ପରିହାସର ପାତ୍ର ହୋଇଛନ୍ତି ବାବର ଆଜମ । ହ୍ୱାଇଟ୍ ବଲ୍ ଟିମର କ୍ୟାପଟେନ ଭାବେ ସାହିନ ଆଫ୍ରିଦିଙ୍କୁ ହଟାଯିବା ପଛରେ ବାବରଙ୍କ ହାତ ଥିଲା ବୋଲି ଅନେକ କ୍ରିକେଟପ୍ରେମୀ କହିଛନ୍ତି । ବାବର ପୁଣି ଥରେ କ୍ୟାପଟେନ ପଦ ଗ୍ରହଣ କରିପାରନ୍ତି ବୋଲି ତାତ୍ସଲ୍ୟ କରିଛନ୍ତି ପାକ୍ କ୍ରିକେଟପ୍ରେମୀ ।

ବାବରଙ୍କୁ ଦଳରୁ ବାଦ୍ ଦେବା ପାଇଁ ଦାବି

ବାବର ଆଜମଙ୍କ ବ୍ୟାଟିଂ ଫର୍ମ ଭଲ ନଥିବାରୁ ତାଙ୍କୁ ଜାତୀୟ ଦଳରୁ ବାଦ୍ ଦେବା ପାଇଁ ମଧ୍ୟ ସ୍ୱର ଉଠିଛି । ଜାହିର ଆବାସଙ୍କ ଭଳି ବହୁ ପୂର୍ବତନ କ୍ରିକେଟର ବାବରଙ୍କୁ ବାଦ୍ ଦେବା ସପକ୍ଷରେ ମତ ଦେଇଛନ୍ତି । ବିଶେଷ କରି ଗତ କିଛି ସିରିଜରେ ବାବରଙ୍କ ଟେଷ୍ଟ ପ୍ରଦର୍ଶନ ଅତି ନିରାଶାଜନକ ରହିଛି । ଦିନିକିଆ ଓ ଟି-୨୦ରେ ବାବରଙ୍କ ଦୁର୍ବଳ ଷ୍ଟ୍ରାଇକ ରେଟ୍ ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.