Latest Odisha News

ମା’ କୋଳକୁ ଫେରିଲା କୂଅରେ ପଡିଯାଇଥିବା ହାତୀ ଛୁଆ

ଦେବଗଡ: ୫ ଘଣ୍ଟା ପରେ ମା’ ହାତୀ କୋଳକୁ ଫେରିଲା ଛୁଆ । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଞ୍ଚଳରେ ଏକ କୂଅରେ ପଡିଯାଇଥିବା ହାତୀ ଶାବକକୁ ଉଦ୍ଧାର କରିଛି ବନ ବିଭାଗ । ଏହାପରେ ନିଜ ମା’ ସହ ଖୁସି ହୋଇ ଜଙ୍ଗଲକୁ ଚାଲିଯାଇଛି ଛୁଆଟି ।

ଖବର ମୁତାବକ, ଆଜି ସକାଳେ ଏକ ୧୪ ଟିକିଆ ହାତୀପଲ ଖଳୀପଶି ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣରେ ଯାଉଥିବା ସମୟରେ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ହାତୀ ଶାବକଟି ପଡିଯାଇଥିଲା । ନିଜ ମା’ ଠାରୁ ଅଲଗା ହେବା ପରେ ଛୁଆ ହାତୀଟି ବିକଳ ହୋଇ ରଡି ଛାଡୁଥିଲା । ସେହିପରି ଉପରେ ଥିବା ମା’ ହାତୀ ମଧ୍ୟ ତାର ଛୁଆଠୁ ଅଲଗା ହୋଇ ପାଗଳ ପ୍ରାୟ କୂଅ ନିକଟରେ ଏପଟ ସେପଟ ହୋଇ ଘୁରି ବୁଲିବା ସହ ଜୋରେ ଜୋରେ ଗର୍ଜନ କରୁଥିଲା ।

ହାତୀଟିର ଗର୍ଜନ ଶୁଣି ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ଜେସିବି ମେଶିନ ସାହାଯ୍ୟରେ କୂଅଟିକୁ ଖୋଳିବା ସହ ବାଟ ତିଆରି କରାଯାଇଥିଲା । ଫଳରେ ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ହାତୀ ଶାବକକୁ ସୁରକ୍ଷିତର ସହ କୂଅରୁ ଉଦ୍ଧାର କରିଥିଲା ବନ ବିଭାଗ । ଏହାପରେ ଉଭୟ ମା’ ଓ ଛୁଆ ଖୁସିରେ ଜଙ୍ଗଲ ମୁହାଁ ହୋଇଥିଲେ ।

Comments are closed.