Latest Odisha News

BREAKING NEWS

ବଡ଼ ଓଷା: ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ: ମହାକାର୍ତ୍ତିକ ମାସର ଆଜି ବଡ ପର୍ବ ବଡ଼ ଓଷା। ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଶେଷ କରିଥାନ୍ତି। ଆଜି ରାତି ୩ଟାରେ ଦ୍ବାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା।

ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ବିତରଣ କରାଯିବ। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ସହ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ, ନଦୀ ଘାଟରେ ଓଡ୍ରାଫ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ ମୁତୟନ ହେବା ସହ ପୀଠରେ ଆଠଗଡ ଉପଜିଲ୍ଲାପାଳ ଓ କଟକ ଗ୍ରାମାଞ୍ଚଳ ଏସ୍ପି ଉପସ୍ଥିତ ରହି ତଦାରଖ କରୁଛନ୍ତି । ସକାଳୁ ସକାଳୁ ବ୍ୟାରିକେଟ ଦେଇ ଲମ୍ବାଧାଡିରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ଏହି ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ କୁହାଯାଏ ଗଜା ପିଠା । ଅରୁଆ ଚାଉଳ ଚୂନାରେ ଏହି ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ଭକ୍ତମାନେ ଏହାକୁ ସେବନ କରିଥାନ୍ତି । ବଡଓଷାର ମୁଖ୍ୟପୀଠ ହେଉଛି ଶ୍ରୀ ଶ୍ରୀ ଧବେଳଶ୍ୱର । କୁହାଯାଏ, ବ୍ରହ୍ମାଙ୍କ ଦ୍ୱାରା ଶାପଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳେଶ୍ୱର ପୀଠକୁ ଆସି ଶାପମୁକ୍ତ ହୋଇଥିଲେ ।

Comments are closed.