ପୁରୀ: ଆଜି ହେଉଛି ପବିତ୍ର ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଦଶହରାରେ ମହାପ୍ରଭୁଙ୍କ ସୂନାବେଶ ଅନୁଷ୍ଠିତ ହେବା ପରେ ଏକାଦଶୀ ତିଥିରେ ଅର୍ଥାତ ଆଜି ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖ ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜା ଉତ୍ସବରେ ପୂଜା ପାଉଥିବା ଗୋସାଣୀ ଦେବୀ ମାନେ ଶୋଭାଯାତ୍ରାରେ ଅପରାହ୍ନରେ ବାହାରି ଦେବସଭାରେ ଯୋଗଦେଇଛନ୍ତି ।
ଶ୍ରୀମନ୍ଦିରର ସଂନ୍ଧ୍ଯା ଆଳତୀ ପରେ ଶ୍ରୀମନ୍ଦିର ଚୁଡାରେ ମହାଦୀପ ଦର୍ଶନ କରିବା ପରେ ଗୋସାଣୀ ଦେବୀ ମାନେ ଜଣେ ପରେ ଜଣେ ଦେବୀଘାଟକୁ ଯାଇ ମେଲାଣି ନେଇଛନ୍ତି । ତେବେ ଏହି ଗୋସାଣୀ ମେଢ ମାନଙ୍କ ମଧ୍ୟରେ ରହିଛନ୍ତି ବଡ଼ଭଉଣୀ ମା ବାରବାଟୀ, ମା’ଜହ୍ନିଖାଇ, ଗେଲବାଇ, ବେଲବାଇ,ଭୋଗ ଜାଗା ଗୋଶାଣୀ, ଶୂନ୍ୟ ଗୋସାଣୀ, ବୁଢାବୁଢି, ସିମ୍ପାଥି ଚଢେଇ, ନାଗାମେଢ ଆଦି ଅନେକ।
ଏମାନଙ୍କୁ ବଡଦାଣ୍ଡରେ ଦେଖିଲେ ଯେମିତି ଦେବସଭା ଚାଲିବା ଭଳି ଦୃଶ୍ଯମାନ ହେଉଥିଲା । ତେବେ କରୋନା କଟକଣା କୁ ନେଇ ଆଜି ଦିନ ୧ଟା ରୁ ମରିଚିକୋଟ ଛକରୁ ଶ୍ରୀମନ୍ଦିର ଯାଏଁ ୧୪୪ ଧାରା ଲାଗୁ କରାଯାଇଥିଲା । ଗୋସାଣୀ ବିସର୍ଜନ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିଥିଲା ।ଏବଂ ପ୍ରତ୍ୟେକ ଗୋସାଣୀ ସହ କମିଟିର ୭ଜଣଙ୍କୁ ଅସିବା ପାଇଁ ଅନୁମତି ଦିଆଯାଇଥିଲା।
ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ୧୫ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ । ତେବେ କରୋନା କଟକଣା ପାଇଁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା । ତେବେ ମହାଦୀପ ଦର୍ଶନ ପରେ ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ପୋଖରୀରେ ମାଙ୍କ ମୂର୍ତ୍ତି ବିସର୍ଜନ ହୋଇଛି ।
Comments are closed.