Latest Odisha News

ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲ ଜେଇଙ୍କୁ ଧରି ଭଡାଘର ଯାଞ୍ଚ କରୁଛି ସିବିଆଇ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ସିବିଆଇ ତଦନ୍ତ ଜୋରଦାର କରିଛି । ଗତକାଲି ସିଗନାଲ ଜେଇଙ୍କ ଘର ସିଲ କରିଥିବାବେଳେ ଆଜି ତାଙ୍କୁ ଧରି ସିଲ ହୋଇଥିବା ଘରକୁ ଯାଇଛି ସିବିଆଇ । ସେଠାରେ ତାଙ୍କୁ ପଚରାଉଚରା କରୁଛି ।

ବହାନଗା ଷ୍ଟେସନ ସିଗନାଲ ଜେଇ ଅମୀର ଖାନ ଭଡାଘରେ ସିବିଆ ପକ୍ଷରୁ ଚଢାଉ କରାଯିବା ସହ ଏହାକୁ ସିଲ କରାଯାଇଥିଲା । ଆଜି ପୁଣି ସେହି ଘରକୁ ଯାଇ ତନାଘନା ଆରମ୍ଭ କରିଛି ସିବିଆଇ । ଗତକାଲି ସିବିଆଇ ଟିମ ସିଗନାଲ ଜେଇଙ୍କ ଘରକୁ ଯାଇଥିଲେ । ହେଲେ ଘରେ କେହି ନ ଥିବାରୁ ସନ୍ଧ୍ୟାସୁଦ୍ଧା ତାଙ୍କୁ ଅପେକ୍ଷା କରିଥିଲେ ଟିମ । ଶେଷରେ ତାଙ୍କୁ ନ ପାଇ ଘର ସିଲ କରି ଦେଇଥିଲା ସିବିଆଇ । ସିବିଆଇ ଟିମ ଫେରି ଆସବା ପରେ ୨ ଜଣ ପୋଲିସ କର୍ମଚାରୀ ଘରକୁ ଜଗି ରହିଥିଲେ । ଆଜି ସକାଳେ ସିଗନାଲ ଜେଇ ଅମୀର ଖାନଙ୍କ ସାଙ୍ଗରେ ନେଇ ସେଠାରେ ପହଞ୍ଚିଛି ସିବିଆଇ ।

ଟ୍ରେନ ଦୁର୍ଘଟଣାର ୨ ଦିନ ପରଠାରୁ ସିଗନାଲ ଜେଇଙ୍କ ଦେଖା ନ ଥିଲା । ତାଙ୍କ ଘରେ ତାଲା ଝୁଲୁଥିଲା । ହେଲେ ଆଜି ତାଙ୍କୁ ପାଇବା ପରେ ସିବିଆଇ ଜେରା କରୁଛି । ତାଙ୍କ ଭଡା ଘରକୁ ଜେଇଙ୍କୁ ନେଇ ସେଠାରେ କଛି କାଗଜପତ୍ର ଯାଞ୍ଚ କରୁଛି । ତେବେ ସେ ଏତେଦିନ ଧରି କାହିଁକି ନିଖୋଜ ଥିଲେ, କାହିଁକି ଘରେ ତାଲା ପକାଇ ସପରିବାର ପଳାଇଥିଲେ ତାହାର କୌଣସି ତଥ୍ୟ ମିଳିନି ।

ସୂଚନାଥାଉ କି, ସିବିଆଇ ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ନେବା ପରେ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରି ସାରିଲାଣି । ସେମାନଙ୍କ  ବୟାନ୍‌ ମଧ୍ୟ ରେକର୍ଡ କରାଯାଇଛି । ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ସେ ନେଇ ଖୋଳତାଡ କରୁଛି ସିବିଆଇ । ଏଥି ନେଇ  ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେସନ୍‌ର ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍‌ନାଲ୍‌ ରୁମ୍‌ ସିଲ୍‌ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି।

Comments are closed.