Latest Odisha News

ବିଶାଖାପାଟଣା ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା

ବିଶାଖାପାଟଣା : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା଼ ଯାତ୍ରା ବିଶାଖାପାଟଣାଠାରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଲସନସ ବେ କଲୋନୀସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ଉପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସକାଳେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ କରାଯାଇଥିଲା।

ଉପସ୍ଥିତ ଭକ୍ତଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଧ୍ୱନିରେ ଚଳିତ ବର୍ଷ ବାହୁଡା ଯାତ୍ରାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା। ପରେ ରଥକୁ ଶାନ୍ତି ଆଶ୍ରମ, ଭୁଡ଼ା ପାର୍କ, ଏୟୁ ଗେଟ୍, ଭୁଡ଼ା ଚିଲେଡ୍ରେନସ ଆରେନା ଏବଂ ଆକାଶବାଣୀ ବାଟ ଦେଇ ଟଣା ଯାଇ ଦଶପଲ୍ଲା ପାହଡିରେ ଥିବା ମୁଖ୍ୟ ମନ୍ଦିରକୁ ରାତି ୮ ଟା ସୁଦ୍ଧା ଅଣା ଯାଇଥିଲା। ଏଠାରେ ଋଷି ଥିବା ମହାଲକ୍ଷ୍ମୀ ପୂର୍ବରୁ ପ୍ରସ୍ତୁତ ଥାଇ ବଡ଼ ଠାକୁରଙ୍କ ମନ୍ଦିର ପ୍ରବେଶକୁ ରୋକି ଥିଲେ। କାରଣ ତାଙ୍କୁ ରଥଯାତ୍ରାରେ ସାମିଲ କରାଯାଇନଥିଲା। ଶ୍ରୀ ଜଗନ୍ନାଥ ଅବିଳମ୍ବେ ସୁସ୍ୱାଦୁ ରସଗୋଲା ପ୍ରଦାନ କରି ମାଆଙ୍କର ମାନଭଞ୍ଜନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଏହି ଉପାଖ୍ୟାନର ନାଟକୀୟ ରୂପକରଣ ମଞ୍ଚସ୍ଥ କରଯାଇଥିଲା। ଏହା ପରେ ଦିଅଁମାନଙ୍କୁ ରୋଷଣୀ କରାଯାଇ ରଥ ଉପରୁ ମୁଖ୍ୟ ମନ୍ଦିରକୁ ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା।

ଚଳିତ ବର୍ଷର ଉତ୍ସବ ଆୟୋଜନରେ ସ୍ଥାନୀୟ ମାରୱାଡି ଯୁବ ମଞ୍ଚ ଏବଂ ଗୁରୁଦ୍ୱାର ସାଧୁ ସଙ୍ଗତ ସକ୍ରୀୟ ସହଯୋଗ କରିଥିଲେ। ବାହୁଡ଼ା ଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ, ସାଧାରଣ ସଂପାଦକ ବିମଳ କୁମାର ମହନ୍ତ, ଉପ-ସଭାପତି କରୁଣାକର ପାଢ଼ୀ ତଥା ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦସାହୁ,ବନମାଳୀ ସାହୁ ଓ ଅରୁଣ ଦାସ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Comments are closed.