ପୁରୀ: ଲକ୍ଷ୍ମୀସାଆନ୍ତାଣି ଗୁଣ୍ଡିଚାଘରେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ବଡ଼ଦେଉଳକୁ ଫେରିବାକୁ ମନ କରିଛନ୍ତି କାଳିଆସାଆନ୍ତେ। ଦଶମୀ ତିଥିରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡି ଯିବେ। ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ।
ଆଜି ପରମ୍ପରା ଅନୁସାରେ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ଦିନ ୧୨ଟାରେ ଆଡ଼ପ ମଣ୍ଡପରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ରଥ ଟଣା ଆରମ୍ଭ ହେଲା ବେଳକୁ ଅପରାହ୍ନ ୪ଟା। ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି ।
ବାଟରେ ମାଉସୀମାଙ୍କ ହାତରୁ ପୋଡପିଠା ଖାଇବେ ଠାକୁରେ। ରାଜାନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ହେବେ। ଗଜପତି ମହାରାଜ ମହାଲକ୍ଷ୍ମୀଙ୍କୁ ସ୍ୱହସ୍ତରେ ଧରି ମହାପ୍ରଭୁଙ୍କୁ ଭେଟ କରାଇବେ। ରଥଟଣା ସରିବା ପରେ ରଥ ଉପରେ ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବ। ବାହୁଡ଼ା ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
Comments are closed.