Latest Odisha News

BREAKING NEWS

୧୪ ଓକିଲଙ୍କ ଜାମିନ ଖାରଜ, ଆଉ ୧୧ ଓକିଲଙ୍କ ଲାଇସେନ୍ସ ରଦ୍ଦ

ସମ୍ୱଲପୁର: ଓକିଲ ଆନ୍ଦୋଳନ ଘଟଣାକୁ ନେଇ ଗିରଫ ୧୪ ଓକିଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜିଲ୍ଲା ଜଜ୍ କୋର୍ଟ ଭିତରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ସମ୍ୱଲପୁର ସବଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ କୁଚିଣ୍ଡାର ୧୪ ଜଣ ଓକିଲ ଜାମିନ ଆବେଦନ କରିଥିଲେ । କିନ୍ତୁ ନନ୍-ବେଲେବଲ୍ ଅଫେନ୍ସ ଅନ୍ତର୍ଗତେ ଗିରଫ ହୋଇଥିବା କାରଣରୁ ସେମାନଙ୍କ ଜାମିନ ଖାରଜ ହୋଇଗଲା ବୋଲି ରଞ୍ଜନ ଶର୍ମା ନାମକ ଜଣେ ଓକିଲ ଗଣମାଧ୍ୟମକୁ କହିଛନ୍ତି ।

ସ୍ଥାୟୀ ବେଞ୍ଚ ଦାବି କରି ଓକିଲମାନେ ଆନ୍ଦୋଳନ କରିଥିଲେ । ୨୩ ଓକିଲଙ୍କ ସହିତ ୩୨ଜଣ ଗିରଫ ହୋଇଥିଲେ । ସେମାନଙ୍କ ନାଁରେ ଆଇପିସି ଧାରା ୧୪୭, ୩୪୧, ୩୨୩, ୩୫୩, ୩୩୨, ୫୦୬, ୧୮୬, ୧୮୮ ଓ ୧୪୯ ବଳରେ ମାମଲା ହୋଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜିଲ୍ଲା ବାର ଆସୋସିଏସନ ସଭାପତି ସୁରେଶ୍ୱର ମିଶ୍ର ବି ସାମିଲ ଅଛନ୍ତି ।

ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନର ଜେନେରାଲ ଆକ୍ସନ କମିଟିର ଆବାହକ ଅଶୋକ ଦାସ କହିଛନ୍ତି ଏସଡିଜେଏମ୍ କୋର୍ଟଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟଳୟରେ ଆବେଦନ କରିବେ ।

ସେପଟେ ବାର କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ) ଆଉ ୧୧ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି । ଫଳରେ ନିଲମ୍ୱିତ ଆଇନଜୀବୀଙ୍କ ସଂଖ୍ୟା ୫୪କୁ ବୃଦ୍ଧି ହୋଇଛି । ସମ୍ୱଲପୁର ଦେଓ୍ୱାନୀ ଅଦାଲତ ରେଜିଷ୍ଟ୍ରାର ସିସିଟିଭି ଫୁଟେଜ ଓ ଭିଡିଓ କ୍ଲିପ୍ ଦେଖି ୪୩ ଓକିଲଙ୍କ ମଧ୍ୟରୁ ଆଉ ୧୧ ଜଣଙ୍କ ନାଁ ବିସିଆଇକୁ ସୁପାରିଶ କରିଥିଲେ । ବିସିଆଇ ନିଲମ୍ୱିତ ଓକିଲମାନଙ୍କୁ ଦେଶର ଯେକୌଣସି କୋର୍ଟ, ଫୋରମ୍, କମିଶନ, ଟ୍ରିବ୍ୟୁନାଲ ଗୁଡିକରେ ୧୮ ମାସ ପାଇଁ ବାରଣ କରିଛନ୍ତି ।

Leave A Reply

Your email address will not be published.