ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତିଯେ, ଜ୍ଞାନ ହିଁ ଶକ୍ତି । ଜ୍ଞାନରୁ ଆମକୁ ଶକ୍ତି ମିଳିଥାଏ । ରାଜ୍ୟରେ ଶିକ୍ଷା ପରିବେଶକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ଶିକ୍ଷା ବିଭାଗ ଅନେକ ସମସ୍ୟା ଦେଇ ଗତି କରୁଥିଲା । ଯେଉଁମାନେ ଶାସନ କରୁଥିଲେ ସେମାନେ କିଛି ତ୍ରୁଟି ରଖିଥିଲେ । ସେହି ସମସ୍ୟା ଗୁଡିକର କିପରି ସମାଧାନ ହୋଇ ପାରିବ ସେନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି । ଆମ ସରକାର ଶାସନକୁ ଆସିବା ପରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷା ବାତାବରଣକୁ ସୁଦୃଢ କରିବା ପାଇଁ ୧୬ ହଜାର ୯ ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିଛନ୍ତି । ରାଜ୍ୟରେ ଡ୍ରପ ଆଉଟ୍ ହାର ରୋକିବା ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶ ତଥା ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଶତ ବାର୍ଷିକୀ ପାଳନ କରୁଥିବା ବେଳେ, ଏହି ଐତିହାସିକ ଅନୁଷ୍ଠାନ ମଧ୍ୟ ତା’ର ୭୫ ତମ ସ୍ବନକ୍ଷେତ୍ର ପାଳନ କରୁଛି । ଏହି ବିଦ୍ୟାଳୟ ନିରନ୍ତର ଭାବେ ଚମ୍ପୁଆ ଉପଖଣ୍ଡ, ସୀମନ୍ତ ଝାଡଖଣ୍ଡ ଓ ମୟୂରଭଞ୍ଜ ଜିଲ୍ଲାର ବହୁ ଛାତ୍ରଛାତ୍ରୀଙ୍କୁ ପାଇଁ ଗଢି ତୋଳିବା ସହିତ ଶିକ୍ଷାର ଆଲୋକବର୍ତ୍ତିକା ହୋଇ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାର ସାମଗ୍ରୀକ ବିକାଶ ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଖଣିଜ ସମ୍ପଦ ଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା ଅବହେଳିତ ହୋଇ ରହିଥିଲା । ଏବେ ଏହାର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । କେନ୍ଦୁଝରର ବିକାଶ କିପରି ହେବ ସେନେଇ ଆମେ ସମସ୍ତେ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏଥି ସହିତ ଜିଲ୍ଲାରେ ରହିଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ ହୋଇ ପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ।
କେନ୍ଦୁଝର ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ କେନ୍ଦୁଝର ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଏକ ଟ୍ରମା କେୟାର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କେନ୍ଦୁଝରରେ ଏକ ବାଇପାସ୍ ନିର୍ମାଣ କରାଯିବା ସହିତ ବୈତରଣୀ ନଦୀରେ ନିର୍ମିତ ହେଉଥିବା ବୃହତ୍ତ ଜଳ ସେଚନ ପ୍ରକଳ୍ପ ଜୁନ୍ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ।
ସେହିପରି, ଉତ୍ତର ଓଡିଶାର ବିକାଶ ପାଇଁ ଖୁବଶୀଘ୍ର ଉତ୍ତର ଓଡିଶା ବିକାଶ ପରିଷଦ ନିର୍ମାଣ କରାଯିବ । ଏଥିନେଇ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି । ଏହା ନିର୍ମାଣ ହେବା ଦ୍ବାରା ସମ୍ପୂର୍ଣ୍ଣ ଉତ୍ତର ଓଡିଶାର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।