Latest Odisha News

BREAKING NEWS

ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗାରେ ନିଆଁପୋଡ଼ି ଘଟଣାରେ ପୀଡ଼ିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ଅଂଶ ପୋଡ଼ିଯାଇଥିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବିଶେଷଜ୍ଞ ଡାକ୍ତରମାନଙ୍କର ୧୪ ଜଣିଆ ଟିମ୍ ଅହୋରାତ୍ର ଚେଷ୍ଟା କରିଥିଲେ, କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଏହାର ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଏବଂ ୨୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ଟ୍ରାକ କରାଯାଉଛି। ଘଟଣାସ୍ଥଳରୁ ଜବତ ହୋଇଥିବା କିରୋସିନ ତେଲ ବୋତଲ, ପୋଡ଼ା କପଡ଼ା ଓ ରୁପା ମୁଦିକୁ ନେଇ ମଧ୍ୟ ତଦନ୍ତ ଚାଲିଛି।

ଏହି ଦୁଃଖଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ରାଜ୍ୟ ସରକାର ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ। ଦିଲ୍ଲୀ ଏମ୍ସରେ ବିଶେଷଜ୍ଞ ଡାକ୍ତରମାନେ ଅହୋରାତ୍ର ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରିଲା ନାହିଁ। ଏହି ଘଟଣାରେ ଜଡ଼ିତ ଅପରାଧୀମାନଙ୍କୁ ଦୃଢ଼ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।”

ସେହିପରି ନିମାପଡ଼ା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମଧ୍ୟ ପୀଡ଼ିତାଙ୍କ ମୃତ୍ୟୁ ଖବରରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ରାଜ୍ୟ ସରକାର ପୀଡ଼ିତାଙ୍କ ଚିକିତ୍ସା ପାଇଁ ସମସ୍ତ ଆର୍ଥିକ ଓ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ। ଦିଲ୍ଲୀ ଏମ୍ସରେ ଗଠିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପୀଡ଼ିତାଙ୍କୁ ଅକ୍ସିଜେନ ସପୋର୍ଟ ଓ ଆଇସିୟୁରେ ରଖି ଚିକିତ୍ସା କରୁଥିଲେ। ତେବେ ଗୁରୁତର ଅବସ୍ଥା ହେତୁ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ।

ଏହି ଘଟଣା ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି ଏବଂ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି।

Comments are closed.