Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ: ୪୪ ଲକ୍ଷ ଟଙ୍କାରେ ନିଲାମ ହେଲା ସରପଞ୍ଚ ପଦବୀ

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ, ମତଦାନ ଓ ଭୋଟ ଗଣନା ଭଳି ଶବ୍ଦକୁ ନେଇ ଚର୍ଚ୍ଚା ଭିତରେ ସରପଞ୍ଚ ପଦ ନିଲାମର ଖବର ଆଶ୍ଚର୍ଯ୍ୟ କରିଛି । ବଲାଙ୍ଗୀର ପୁଇଁତଳା ବ୍ଲକର ଏକ ପଞ୍ଚାୟତକୁ ୪୪ ଲକ୍ଷ ଟଙ୍କା ଦେଇ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀର ନିଲାମୀ ଜିତିଥିବା ଅଭିଯୋଗ ହୋଇଛି ।

ନାମାଙ୍କନ କରିବାର ଦିନକ ପୂର୍ବରୁ ବିଲେଇସର୍ଡା ଗାଁରେ ବସିଥିଲା ବୈଠକ । ବୈଠକରେ ଚାଲିଥିଲା ଭୋଟ ନିଲାମ। ଆଶାୟୀ ପ୍ରାର୍ଥୀ ମାନେ ଖୋଲାଖୋଲି ଭାବେ ନିଜ ଦର ଲଗାଉଥିବା ବେଳେ ଶେଷରେ ସରପଞ୍ଚ ପଦବୀ ପାଇଁ ଚୁଡାନ୍ତ ହୋଇଥିଲା ୪୪ ଲକ୍ଷ ଟଙ୍କା।

ଏଥିପାଇଁ ପ୍ରାର୍ଥୀ ମାନଙ୍କୁ କୁଆଡେ ନିଲାମ ଡାକିବାକୁ କୁହାଯାଇଥିଲା । ଯେଉଁ ପ୍ରାର୍ଥୀ ଗାଁର ମନ୍ଦିର ନିର୍ମାଣ ପାଇଁ ସର୍ବାଧିକ ଟଙ୍କା ଦେଇପାରିବେ ସେ ହିଁ ସରପଞ୍ଚ ହେବେ ବୋଲି କୁହାଯାଇଥିଲା । ସେହି ଅନୁସାରେ ଜଣେ ପ୍ରାର୍ଥୀ ୪୪ ଲକ୍ଷ ଟଙ୍କା ବୋଲି ଡାକିବା ପରେ ତାଙ୍କୁ ହିଁ ସରପଞ୍ଚ ଘୋଷଣା କରାଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ଏହି ପଂଚାୟତରେ ୪ଜଣ ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଗ୍ରାମସଭା କରି ସେମାନଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା ଓ ପଦବୀ ପାଇଁ ନିଲାମୀ ଡକାଯାଇଥିଲା । ଶେଷରେ ୪୪ ଲକ୍ଷ ଟଙ୍କାରେ ଡିଲ ହୋଇଥିବା ଅଭିଯୋଗ ହୋଇଛି ।
୨୦୧୭ରେ ମଧ୍ୟ ସମାନ ପ୍ରକ୍ରିୟାରେ ଜଣଙ୍କୁ ନିର୍ବାଚିତ କରାଯାଇଥିଲା ।

Comments are closed, but trackbacks and pingbacks are open.