Latest Odisha News

ସୁମିତଙ୍କ ପରିବାରକୁ ଝଟ୍‍କା: ଖାରଜ ହେଲା ପିଟିସନ୍‍

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗର ଡାକ୍ତର ସୁମିତ ଓ ପତ୍ନୀ ତପସ୍ପିନୀ ବିବାଦ ମାମଲା । ସୁମିତଙ୍କ ମା’ ଓ ଜେଜେ ମା’ଙ୍କ ପକ୍ଷରୁ ରୁଜୁ ମାମଲା ଏସଡିଜେଏମ କୋର୍ଟରେ ଖାରଜ । ନିଜର ସୁରକ୍ଷା ଦାବି କରି ମାମଲା ରୁଜୁ କରିଥିଲେ ମା’ ଓ ଜେଜେମା ।

ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ ରହିବା ପରେ ଉଭୟ ପକ୍ଷର ଓକିଲ ନିଜ ନିଜ ପକ୍ଷ ରଖି କୋର୍ଟରେ ଗୋଟିଏ ପରେ ଗୋଟିଏ ପିଟିସନ୍‍ ଦାଖଲ କରୁଛନ୍ତି । ଇତି ମଧ୍ୟରେ ସୁମିତଙ୍କ ପରିବାରକୁ ପୁଣି ଆଜି ଝଟ୍‍କା ଲାଗିଛି । ଚଳିତ ମାସରେ ଦାଖଲ କରିଥିବା ଏକ ପିଟିସନ୍‍କୁ ସ୍ଥାନୀୟ ଏସଡିଜେଏମ୍‍ ଖାରଜ କରିଛନ୍ତି ।

ଉକ୍ତ ପିଟିସନ୍‍ରେ ସୁମିତଙ୍କ ମା’ ଏବଂ ଜେଜେମା’ସମ୍ପ୍ରତି ତପସ୍ୱିନୀଙ୍କୁ ତାଙ୍କ ଘରୁ ବାହାର କରି କୌଣସି ସଖି ସେଣ୍ଟରରେ ରଖିବା ଏବଂ ଉଭୟ ମା’ ଏବଂ ଜେଜେମା’ଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଥିଲେ ।

ତପସ୍ୱିନୀ ଜିଲ୍ଲା କୋର୍ଟଙ୍କ ଆଦେଶ ବଳରେ ଚଳିତ ମାସ ୬ ତାରିଖରୁ ତାଙ୍କ ଶ୍ୱଶୁରଙ୍କ ଘରେ ରହୁଛନ୍ତି । ତପସ୍ୱିନୀ ଘରେ ରହିବା ପରେ ମାମଲାର ଏକ ପ୍ରକାର ଅନ୍ତ ଘଟିିବ ବୋଲି ଆଶା କରାଯାଉଥିଲା । କିନ୍ତୁ ତପସ୍ୱିନୀ ଘର ଭିତରେ ପ୍ରବେଶ କରିବା ମାତ୍ରକେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ତୁରନ୍ତ ଉକ୍ତ ଘରୁ ବାହାରି ଯାଇଥିଲେ।

ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଘରକୁ କିଛି ଲୋକ ଜବରଦସ୍ତ ପ୍ରବେଶ କରିବା ସହ ତାଙ୍କ ମୁଖ୍ୟ କବାଟ ଭାଙ୍ଗି ଦେଇଛନ୍ତି ଏବଂ ଏତଲା ଦେଲେ ମଧ୍ୟ ପୁଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଥିଲେ। ଏହା ପରେ ନିଜେ ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତଳ କୋର୍ଟର ରାୟ ବିରୁଦ୍ଧରେ ଅପିଲ୍‍ କରିଥିଲେ । ଏହି ମାମଲାର ଶୁଣାଣି ହୋଇନାହିଁ।

 

Comments are closed, but trackbacks and pingbacks are open.