Latest Odisha News

BREAKING NEWS

କାଳିଆ ପରେ ‘ବଳରାମ’ ଯୋଜନା

ଭୁବନେଶ୍ୱର: ଚାଷୀଙ୍କ ପାଇଁ କାଳିଆ ପରେ ଆସିଲା ନୂଆ ଯୋଜନା ‘ବଳରାମ’ । ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ଏଥିରେ ରାଜ୍ୟର ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ସରକାର ଯୋଗାଇ ଦେବେ କୃଷି ଋଣ । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଜଏଣ୍ଟ୍ ଲିଆବିଲିଟି ଗ୍ରୁପ୍ (ଜେ.ଏଲ୍.ଜି) ଜରିଆରେ ଭୂମିହୀନ ଚାଷୀଙ୍କୁ ଋଣ ପ୍ରଦାନ କରାଯିବ । ରାଜ୍ୟସ୍ତରରେ ଇମେଜ ଓ ଜିଲ୍ଲାସ୍ତରରେ ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ ।

ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ବିଭିନ୍ନ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭ହଜାର ଶାଖା ରହିଛି । ପ୍ରତି ବ୍ୟାଙ୍କ ଶାଖାକୁ ଚଳିତବର୍ଷ ଅତି କମରେ ୧୦ଟି ଜେ.ଏଲ୍.ଜିଙ୍କୁ ଋଣ ଦେବା ପାଇଁ କୁହାଯାଇଛି । ଏହାଦ୍ୱାରା ପ୍ରାୟ ୭୦ ହଜାର ଗ୍ରୁପ୍ ଏବର୍ଷ କୃଷି ଋଣ ପାଇବେ।
ଗୋଟିଏ ଗ୍ରୁପରେ ରହିବେ ୫ ଜଣ ଚାଷୀ ।

ବର୍ଷକୁ ସାଢ଼େ ୩ ଲକ୍ଷ ଚାଷୀ ହିସାବରେ ୨ ବର୍ଷରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରତି ଗ୍ରୁପ୍ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । କୃଷକ ସାଥୀ ଓ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍ ଗଠନ କରି ସେମାନଙ୍କୁ ଜିଳ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦିଆଯିବ ।

ଭୂମିହୀନ ଚାଷୀଙ୍କୁ ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ । ଏହାର ସୁଧ ହାର ଓ ସୁଧ ରିହାତି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ । ବଳରାମ ଯୋଜନା ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ । ସଫଳ ହେଲେ ସମଗ୍ର ଦେଶ ପାଇଁ ଏହା ଏକ ମଡେଲ୍ ହେବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.