ଭୁବନେଶ୍ୱର: ବାଲେଶ୍ୱରରେ ଚବିଶ ଦେଖିବ ବଡ ଲଢେଇ । ପୁଣି ବିଜେପି ନନାଙ୍କୁ କରିବ ଭରସା ? ନା ଖାରବେଳ ସ୍ୱାଇଁ ହେବେ ନୂଆ ସେନାପତି ? ବିଜେଡିରୁ ବାଲେଶ୍ୱର ମଇଦାନରେ କିଏ ହେବେ ପ୍ରାର୍ଥୀ ? ପୁଣି ରବୀନ୍ଦ୍ର ଜେନାଙ୍କୁ ଓହ୍ଲାଇବ କି ବିଜେଡି ? ନା ଶଙ୍ଖରୁ ମିଳିବ ସରପ୍ରାଇଜ୍ ? କଂଗ୍ରେସ ଟିକେଟ୍ ରେସରେ ନବଜ୍ୟୋତି ପଟ୍ଟନାୟକ ଆଗରେ । ଶ୍ରୀକାନ୍ତ ହେବେ କି ହାତର ସିପାହି ?
ବାଲେଶ୍ୱର ପାଇଁ କେଉଁ ଦଳର କଣ ରଣନୀତି ? ଉତର ଓଡିଶାର ଏହି ହାଇପ୍ରୋଫାଇଲ୍ ସିଟ୍ ଜିତିବାକୁ ଆଗ୍ରହୀ ସବୁ ଦଳ । ତିନି ପ୍ରମୁଖ ଦଳ ପକ୍ଷରୁ ଗ୍ରାଉଣ୍ଡରେ ବାଲେଶ୍ୱର ୱାର ପାଇଁ ସଜବାଜ ବି ଜୋରଦାର ହେଲାଣି । ହେଲେ କେଉଁ ଦଳ କାହାକୁ ଏଠି ପ୍ରାର୍ଥୀ କରିବେ ସେନେଇ ସ୍ପଷ୍ଟ ଚିତ୍ର ମିଳିନି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ପ୍ରାର୍ଥୀ ହେବା ନେଇ କିଛି ଦିନ ଚର୍ଚ୍ଚା ହୋଇଥିଲା । ହେଲେ ସେ ରାଜ୍ୟସଭା ଯିବା ସହ ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲାଗିଛି ।
୨୦୧୯ରେ ବିଜେଡିର ରବୀନ୍ଦ୍ର ଜେନାଙ୍କୁ ମାତ୍ ଦେଇ ବାଲେଶ୍ୱର ଜିତିଥିଲେ ପ୍ରତାପ ଷଡଙ୍ଗୀ । ୪୧.୭୯ପ୍ରତିଶତ ଭୋଟ୍ ସହ ୪ଲକ୍ଷ ୮୩ହଜାର ୮୫୮ଭୋଟ୍ ପାଇଥିଲେ ପ୍ରତାପ ଷଡଙ୍ଗୀ । ରବୀନ୍ଦ୍ର ଜେନା ୪୦.୬୭ପ୍ରତିଶତ ଭୋଟ୍ ସହ ୪ଲକ୍ଷ ୭୦ହଜାର ୯୦୨ ଭୋଟ୍ ପାଇଥିଲେ । ଅଳ୍ପ ମାର୍ଜନରେ ୧୯ ଯୁଦ୍ଧ ଜିତିଥିଲେ ନନା । ଆଉ ଡେବ୍ୟୁ ପରଫର୍ମାନ୍ସ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ । ତେବେ ୨୪ରେ ତାଙ୍କୁ ପୁଣି ବିଜେପି ବିଶ୍ୱାସ କରିବ କି ନାହିଁ, ସେନେଇ ସ୍ପଷ୍ଟ ହୋଇନି । ସେପଟେ ବାଲେଶ୍ୱରରେ ଲଢିବାକୁ ଖୋଲାଖୋଲି ଆଗ୍ରହ ଦେଖାଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ବାଲେଶ୍ୱରରୁ ଖାରବେଳ ତିନି ଥର ସାଂସଦ ରହିଛନ୍ତି । ୧୯୯୮, ୧୯୯୯ ଓ ୨୦୦୪ରେ ସେ ବିଜୟୀ ହୋଇଥିଲେ । ତେଣୁ ତାଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରିପାରେ ବିଜେପି ।
ରବୀନ୍ଦ୍ର ଜେନା ୨୦୧୯ରେ ୧୩ହଜାରରୁ ବି କମ୍ ଭୋଟରେ ପ୍ରତାପ ଷଡଙ୍ଗୀଙ୍କଠାରୁ ହାରିଥିଲେ । ତେବେ ୨୦୧୪ରେ ରବୀନ୍ଦ୍ର ଜେନା ବିଜେଡି ଟିକେଟରୁ ବାଲେଶ୍ୱର ମହାସମର ଜିତି ପାର୍ଲାମେଂଟ ଯାଇଥିଲେ । ଏଥର ବି ଟିକେଟ୍ ପାଇଁ ଆଶାୟୀ ରବୀନ୍ଦ୍ର ଜେନା । ନିର୍ବାଚନ ମଣ୍ଡଳୀରେ ସାଂଗଠନିକ କାମକୁ ଜୋରଦାର କରିଛନ୍ତି ।
କୁହାଯାଉଛି, ରବୀନ୍ଦ୍ରଙ୍କୁ କିମ୍ବା ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଯଦି ସୁବାସିନୀଙ୍କୁ ବସ୍ତା ବିଧାନସଭା ପ୍ରାର୍ଥୀ କରାଯାଏ ତାହାଲେ ଗୋଟେ ପରିବାରକୁ ଗୋଟେ ଟିକେଟ୍ ନିୟମରେ ଚବିଶ ମହାସମରରେ ନୂଆ ପ୍ରାର୍ଥୀ ଘୋଷଣା କରି ସରପ୍ରାଇଜ ବି ଦେଇପାରେ ବିଜେଡି । କଂଗ୍ରେସରୁ ନବଜ୍ୟୋତି ପଟ୍ଟନାୟକଙ୍କୁ ପୁଣି ଟିକେଟ୍ ମିଳିପାରେ । ତେବେ ଶେଷ ମୁହୁର୍ତରେ ଦଳକୁ ଶ୍ରୀକାନ୍ତ ଜେନାଙ୍କ ଏଂଟ୍ରି ସମୀକରଣ ବଦଳାଇପାରେ । ବାଲେଶ୍ୱରରୁ ୨୦୦୯ରେ ସାଂସଦ ଥିବା ଶ୍ରୀକାନ୍ତ ଜେନା ବି ଟିକେଟ୍ ପାଇଁ ପ୍ରମୁଖ ଦାବିଦାର ।
ବାଲେଶ୍ୱର ଲୋକସଭା କ୍ଷେତ୍ର ଅଧିନରେ ରହିଛି ମୟୂରଭଞ୍ଜର ବଡସାହି ଓ ବାଲେଶ୍ୱରର ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା ଓ ନୀଳଗିରି ବିଧାନସଭା ଆସନ । ଗତଥର ବିଜେଡି ୫ଟି ଜିତିଥିବା ବେଳେ, ବିଜେପି ୨ଟି ଜିତିଥିଲାା ଏଥର କେଉଁ ସିଟ୍ କାହା ହାତକୁ ଯିବ, ଲୋକସଭା ନିର୍ବାଚନ ଉପରେ କଣ ପ୍ରଭାବ ରହିବ, ତା ଉପରେ ନଜର ରହିଛି ।
Comments are closed.