Latest Odisha News

BREAKING NEWS

ବାଲେଶ୍ୱର ଲୋକସଭା ଆସନ: ତିନି ହେଭିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ବାଲେଶ୍ୱର: ବାଲେଶ୍ୱରରେ କେବେବି ଏପରି ଜୋରଦାର ନିର୍ବାଚନ ପ୍ରଚାର ପୂର୍ବରୁ ହୋଇନଥିଲା । ସୋମବାର ଦିନ ବାଲେଶ୍ୱର ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି, ମତଦାନ କେନ୍ଦ୍ର ଯିବାବେଳେ ଭୋଟର୍ ନିଶ୍ଚିତ ରୂପେ ଏହି ରଙ୍ଗିନ ନିର୍ବାଚନ କଥା ମନେ ପକାଇବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱର ଜିଲ୍ଲାରେ ନିର୍ବାଚନ ପ୍ରଚାର କରିଛନ୍ତି, ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଜିଲ୍ଲାରେ ନିର୍ବାଚନୀ ସଭା ସମେତ ରୋଡ଼ ଶୋ’ କରିଛନ୍ତି । ଏପରିକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏଠାରେ ନିର୍ବାଚନ ପ୍ରଚାର କରିବାକୁ ଭୁଲିନାହାନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏହି ତ୍ରିମୁଖୀ ଲଢେଇରେ ମଇଦାନକୁ ସହଜରେ ଛାଡ଼ିଦେବାକୁ କେଉଁ ଦଳ ପ୍ରସ୍ତୁତ ନୁହଁନ୍ତି । ଏଠାରେ ନିର୍ବାଚନ ତୀବ୍ରତର ହେଉଥିବା ସହଜେ ବାରି ହୋଇପଡୁଛି ଏହା ନିଃସନ୍ଦେହ ।

ଏହି ଆସନରେ ବିଜେଡ଼ି ଟିକଟରେ ଲୋକସଭା ନିର୍ବାଚନ ଲଢୁଛନ୍ତି ସାଂସଦ ରବୀନ୍ଦ୍ର ଜେନା । ଚିଟଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦିହୋଇ ସେ ପୂର୍ବରୁ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଛନ୍ତି ଏପରିକି ସିବିଆଇ ଏହି ମାମଲାରେ ତାଙ୍କ୍ୁ ୨୦୧୬ ରେ ପ୍ରଶ୍ନ କରିଥିଲା ।

ଏଠାରେ ବିଜେଡ଼ି ଭାବୁଛି, ଶ୍ରୀ ଜେନାଙ୍କୁ ଏଠାରୁ ପ୍ରାର୍ଥୀ କରିବା ଦ୍ୱାରା ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସହଜରେ ପୂର୍ବ ପରି ନିର୍ବାଚନରେ ପରାସ୍ତ କରିପାରିବେ । ତେବେ ବିଜେପିର ବରିଷ୍ଠ ନେତା ତଥା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥର ବେଶ୍ ଉତ୍ସାହିତ ଯେ, ଏଥର କିନ୍ତୁ ରବୀନ୍ଦ୍ର ଜେନାଙ୍କୁ ନିଶ୍ଚିତ ପରାସ୍ତ କରିପାରିବେ । ଅବଶ୍ୟ ଶ୍ରୀ ଜେନା ୨୦୧୪ ନିର୍ବାଚନରେ ପ୍ରାୟ ୧.୪୩ ଲକ୍ଷ ଭୋଟ ବ୍ୟବଧାନରେ ଶ୍ରୀ ଷଡ଼ଙ୍ଗୀଙ୍କୁ ପରାସ୍ତ କରିପାରିଥିଲେ ।

“ବାଲେଶ୍ୱର ଜନସାଧାରଣ ଏଠାରେ ୨୦ ବର୍ଷ ଧରି ବିଜେଡ଼ି ଶାସନ କରୁଥିବା ଦେଖିସାରିଲେଣି, ରାଜ୍ୟ ସରକାର ଏ ଅଞ୍ଚଳ ପ୍ରତି ସମ୍ପୂର୍ଣ୍ଣ ରୂପେ ଉଦାସୀନ ବୋଲି ଲୋକେ ହୃଦୟଙ୍ଗମ କରୁଛନ୍ତି । ଜିଲ୍ଲାବାସୀ ଚାହୁଁଛନ୍ତି ଏଠାରେ ପରିବର୍ତ୍ତ ଦରକାର, ଏହାହିଁ ତ’ ବଡ଼ ପ୍ରମାଣ । ଏଠାରେ ଇଷ୍ଟକୋଟ କେନାଲ ଏକ ବଡ଼ ପ୍ରସଙ୍ଗ, ମାତ୍ର ଏହି ସରକାର କୌଣସି ଦୃଷ୍ଟି ଦେଇନାହିଁ,” ବୋଲି ନିର୍ବାଚନ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।

ଗତ ସପ୍ତାହରେ ସମଗ୍ର ଜିଲ୍ଲା ବ୍ୟାପି ବ୍ୟାପକ ପ୍ରଚାରର ପ୍ରମାଣ ଖୋଦ ବାଲେଶ୍ୱର ସହରରେ ନିର୍ବାଚନୀ ହୋଡ଼ିଂ, ପତାକା ତଥା ରଙ୍ଗିନ କାନ୍ଥଲେଖାରେ ସ୍ପଷ୍ଟ ଅନୁମେୟ ।

ନବୀନ ଏଠାରେ ବିଶାଳ ରୋଡ଼ ଶୋ’ କରିଥିଲେ ଯାହାକି ସମଗ୍ର ଜିଲ୍ଲାକୁ ପ୍ରଭାବିତ କରିପାରିଛି । ଠିକ୍ ଅନୁରୁପ ଭାବେ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଠାରେ ବିଶାଳ ରୋଡ଼ କରି ଦଳର ପ୍ରାର୍ଥୀ ମାନଙ୍କୁ ଜନସାଧାରଣଙ୍କ ନିକଟତର କରିପାରିଛନ୍ତି ।

ଏହି ଦୁଇ ଦଳର ଘନଘନ ନିର୍ବାଚନ ପ୍ରଚାରକୁ ଦେଖିଲେ ଏହା ନିଶ୍ଚିତ ଯେ, ଏଠାରେ ଭୋଟ ଲାଗି ହେଉଥିବା ଲଢେଇ ଚରମ ସୀମାରେ ପହଞ୍ଚିଛି, କେବଳ ମେ ୨୩ର ଫଳାଫଳ ହିଁ କହି ପାରିବ ଯେ, କେଉଁ ଦଳ ନିର୍ବାଚନ ବାଜି ମାତ୍ କରିଛି ।

ସବୁଠାରୁ ବଡ଼ କଥା ହେଲା, ଯେଉଁ ଦିନ କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏହି ଲୋକସଭା ଆସନର ପ୍ରାର୍ଥୀ ଭାବେ ଟିକଟ ଧରି ରଣାଙ୍ଗନକୁ ଓହ୍ଲାଇଲେ, ସେବେଠାରୁ ହିଁ ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମଇଦାନ ଏକପ୍ରକାର ଚିତାକର୍ଷକ ହୋଇପଡ଼ିଛି । କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ସାଇକେଲ୍ ମାଧ୍ୟମରେ ମଧ୍ୟ ଗାଁ କୁ ଗାଁ ବୁଲି ନିର୍ବାଚନ ପ୍ରଚାର କରି ଖୁବ୍ କମ୍ ଦିନ ମଧ୍ୟରେ ଜନସାଧାରଣଙ୍କ ନିକଟତର ହୋଇପାରିଛନ୍ତି । ତେବେ ଏହି ନିର୍ବାଚନ ରଣାଙ୍ଗନରେ ଦୁଇ ଦଳର ଦୁଇ ଜଣ ହେଭିୱେଟଙ୍କ ମଧ୍ୟରେ ପ୍ରବେଶ କରି ନବଜ୍ୟୋତି ମଧ୍ୟ ନିଜକୁ ମଧ୍ୟ ଏକ ଟାଣୁଆ ପ୍ରାର୍ଥୀ ଭାବେ ସାବ୍ୟସ୍ତ କରିସାରିଛନ୍ତି । ଗାଁ କୁ ଗାଁ ବୁଲି ନବଜ୍ୟୋତି କଂଗେସର ଇସ୍ତାହାର ପ୍ରତିଶ୍ରୁତିକୁ ଭୋଟରମାନଙ୍କୁ ଅବଗତ କରିପାରିବାରେ ସକ୍ଷମ ହୋଇଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨,୬୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଗାଁ କୁ ଗାଁ ବୁଲି ନବଜ୍ୟୋତି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ରୂପେ ପୂର୍ବରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରତିଦ୍ୱନ୍ଦ୍ୱିତା କରି ଆସୁଥିଲେ । ତେବେ ଶ୍ରୀ ଜେନା କଂଗ୍ରେସରୁ ବିଦା ହେବା ପରେ ଦଳ ନବଜ୍ୟୋତିଙ୍କୁ ଏହି ଆସନରେ ପ୍ରାର୍ଥୀ ଭାବେ ମନସ୍ଥ କରିଥିଲା ।

କେବଳ ଦେଖିବାକୁ ବାକି ରହିଗଲା, ନବଜ୍ୟୋତି ଯେଉଁପ୍ରକାର ଭାବେ ଏଠାରେ ଚାଷୀମାନଙ୍କ ସହିତ ସମ୍ପର୍କ ରକ୍ଷା କରି ସେମାନଙ୍କର ବେଶ୍ ନିକଟତର ହୋଇପାରିଛନ୍ତି, ସେହିପରି ଭାବେ କୃଷକମାନେ ତାଙ୍କୁ ସାହାଯ୍ୟ କରିବେ ତ, ନା ବିଜେଡ଼ି ପ୍ରାର୍ଥୀଙ୍କୁ ଛାଡ଼ି ବିଜେପି ପ୍ରାର୍ଥୀଙ୍କୁ ଏଥର ଭୋଟର୍ ସାଂସଦ ଭାବେ ମନୋନୀତ କରିବେ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଏହି ବାଲେଶ୍ୱର ଆସନର ଫଳାଫଳ କେବଳ ମେ ୨୩ରେ ହିଁ ଜଣାପଡ଼ିବ ।

Leave A Reply

Your email address will not be published.