Latest Odisha News

BREAKING NEWS

ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର : ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ । ପାକିସ୍ତାନକୁ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁାଣାଇଛନ୍ତି । ତାଙ୍କ ବିରୋଧରେ ୧୨୦ ଏ, ବି, ୧୨୧ ସେକ୍ସନ ୩ ଓ ସେକ୍ସନ ୪ ଅଫିସିଆଲ ସିକ୍ରେଟ୍ ଆକ୍ଟ ଲାଗିଛି । ଅନ୍ୟମାନଙ୍କ ସହ ଈଶ୍ୱର କଥା ହୋଇଥିବା ରେକର୍ଡ ଅଛି । କୋର୍ଟରେ ଉପସ୍ଥାପିତ ୬୦୦ ରେକର୍ଡର ସତ୍ୟତା ରହିଛି । ପ୍ରତିରକ୍ଷା ବିଭାଗର ମିସାଇଲ ପରୀକ୍ଷା ସଂକ୍ରାନ୍ତୀୟ ତଥ୍ୟ ପରୀକ୍ଷା ପରେ ବିଭାଗ ପକ୍ଷରୁ ଘୋଷଣା କରାଯାଏ । ତେବେ ଈଶ୍ୱର ଏହି ସବୁ ସୂଚନା ପରୀକ୍ଷଣ ପୂର୍ବରୁ ଦେଇଥିବାରୁ ସେ ଦୋଷୀ ବୋଲି କୋର୍ଟ କହିଛନ୍ତି ।

ଚାନ୍ଦିପୁର ପୋଲିସ ଗତ ୨୦୧୪ ମସିହା ଡିସେମ୍ବର ୨୨ ତାରିଖରେ ଈଶ୍ୱର ବେହେରାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ହେଲେ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଈଶ୍ୱର ବେହେରା ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଯାଇଥିଲା । ଜାମିନ ଆବେଦନ ଖାରଜ ହେଉଥିବାରୁ ଗତ ୭ ବର୍ଷ ହେଲା ଜେଲରେ ଅଛନ୍ତି ଈଶ୍ବର ।

ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଜଣେ ଠିକା କ୍ୟାମେରା ମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିଲେ ଈଶ୍ୱର । ଏହି ସମୟରେ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କିତ ତଥ୍ୟ ଶତ୍ରୁ ପକ୍ଷର ଜଣେ ଏଜେଣ୍ଟଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ମାମଲାରେ ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

Leave A Reply

Your email address will not be published.