ମୟୂରଭଞ୍ଜ: ୧୮ନଂ ଜାତୀୟ ରାଜପଥ ତୁଳସୀଚଉରା ଢାବା ନିକଟରେ ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ବେତନଟୀ ତହସିଲଦାର ଓ ଚାଳକ ଆହତ ହୋଇଥିବା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେତନଟୀ ପୋଲିସ। ପୂର୍ବରୁ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଗିରଫ ମାଝାଲ ହୁସେନର ମୋବାଇଲ ଜବତ ପୂର୍ବକ ସେଥିରେ ଥିବା ହ୍ଵାଟ୍ସଆପ ଗ୍ରୁପକୁ ନିରୀକ୍ଷଣ କରି ଖୋଦ ଏସଡିପିଓ ମିନତି ବିଶ୍ୱାଳଙ୍କ ତତ୍ତ୍ୱବଧାନରେ ଗତ ରାତିରେ ଚଢ଼ାଉ କରି ମାମଲାରେ ଜଡିତ ଥିବା ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଏହି ଘଟଣାରେ ମୋଟ ୯ଜଣଙ୍କୁ ଗିରଫ କରାଗଲାଣି। ବେତନଟୀରେ ବାଲିଗାଡ଼ି ଜବତ କରିବାରୁ ବେତନଟୀ ତହସିଲଦାର, ଗାଡ଼ି ଚାଳକ ଏବଂ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ପରେ ଆକ୍ସନ ମୋଡ୍କୁ ଆସିଥିଲା ପ୍ରଶାସନ ଓ ପୁଲିସ। ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏକ ବାଲି ଉତ୍ତୋଳନ ମେସିନ୍କୁ ଜବତ ସହ ଚୋରାବାଲି ନିଲାମ କରାଯାଇଥିଲା।
ଉଲ୍ଲେଖ ଥାଉକି, ମଙ୍ଗଳବାର ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ଓଡି-୧୧ଏଇ-୩୨୩୪ ନମ୍ବର ବିଶିଷ୍ଟ ବେଆଇନ ବାଲି ବୋଝେଇ ଟ୍ରାକ୍ଟର୍କୁ ଜବତ କରିଥିଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ୧୫ରୁ ୨୦ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ତହସିଲଦାର ଶ୍ରୀ ବେହେରା, ଗାଡ଼ି ଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ରାଜସ୍ବ ସୁପର୍ଭାଇଜର ହେମକାନ୍ତ ମହାନ୍ତ, ଯୁଗପୁରା ରାଜସ୍ବ ନିରୀକ୍ଷକ ସଞ୍ଜୀବ ମହାନ୍ତ ଓ ସତ୍ୟବ୍ରତ ନାୟକ ଆହତ ହୋଇଥିଲେ।
Comments are closed.