ଭୁବନେଶ୍ୱର: GRP କନେଷ୍ଟବଲ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖୁଲାସା। ସୌମ୍ୟଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତିଙ୍କୁ କରାଯାଉଛି ପଚରାଉଚରା। ଏଡିଜି ଗଙ୍ଗୱାରଙ୍କ ସଂପୃକ୍ତିଙ୍କୁ ନେଇ ପୁଣି ହୋଇଛି ଅଭିଯୋଗ। ଡାଏରୀରେ ସବୁ ଥିବା କହିଲେ ନିଶିକାନ୍ତ। କ୍ରାଇମ୍ବ୍ରାଞ୍ଚ୍ ହାତରେ ଲାଗିଛି ଏହି ଡାଏରୀ। ଉକ୍ତ ଡାଏରୀଟି ସୌମ୍ୟଙ୍କର ସାଙ୍ଗ ତଦନ୍ତକାରୀ ଟିମ୍କୁ ଦେଇଛନ୍ତି। ଏଥିରେ ସୌମ୍ୟ ନିଜର ନିତିଦିନିଆ ଘଟଣାବଳୀ ଲେଖୁଥିଲେ। ଚାକିରିଠୁ ଆରମ୍ଭ କରି ଜିମ୍, ଆର୍ଥିକ ଦେଣନେଣ ଓ କିଛି ବିବାଦ ସମ୍ପର୍କିତ ବିଷୟ ଏହି ଡାଏରୀରେ ଲେଖାଯାଇଛି।
କ୍ରାଇମ୍ବ୍ରାଞ୍ଚ୍ ଉକ୍ତ ଡାଏରୀରେ ଉଲ୍ଲେଖ ତଥ୍ୟକୁ ଯାଞ୍ଚ୍ କରୁଛି। ଏଥିରୁ ସୌମ୍ୟଙ୍କ ସମ୍ପର୍କରେ ଥିବା କିଛି ଅସମାହିତ ପ୍ରଶ୍ନ ବିଷୟରେ ଅଧିକ ତଥ୍ୟ ମିଳିପାରେ ବୋଲି କ୍ରାଇମ୍ବ୍ରାଞ୍ଚ୍ ଆଶା ରଖିଛି। ଅନ୍ୟପଟେ ADG ଦୟାଲ ଗଙ୍ଗୱାରଙ୍କୁ ରିପୋର୍ଟ ମାଗିଛି କ୍ରାଇମବ୍ରାଞ୍ଚ । ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଲେଖାଯାଇଛି । ଉତ୍ତ୍ୟକ୍ତ ଯୁବକଙ୍କ ମାଡରେ ପ୍ରାଣ ହରାଇଥିଲେ GRP କନେଷ୍ଟବଲ ସୌମ୍ୟରଞ୍ଜନ। ସେତେବେଳେ ଦାୟିତ୍ବରେ ଥିଲେ ADG ଗଙ୍ଗୱାର । ହତ୍ୟା ମାମଲାର ତଦନ୍ତ କରାଯିବା ବେଳେ ଅନେକ କଥା ସାମନାକୁ ଆସିଥିଲା । ଏପରିକି ତାଙ୍କୁ ବିଭାଗୀୟ ଅଧିକାରୀ ନିର୍ଯାତନା ଦେଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ସୌମ୍ୟଙ୍କ ବାପାମାଆ ବି ଗୁରୁତର ଅଭିଯୋଗ କରିଥିଲେ । ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇଣବ୍ରାଞ୍ଚକୁ ଦିଆଯାଇଥିଲା ।
ସୌମ୍ୟରଞ୍ଜନ ଭିଡ଼ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ କଲା ବେଳେ ସୌମ୍ୟଙ୍କ ସହିତ ସମ୍ପର୍କ ଥିବା ଏକାଧିକ ବ୍ୟକ୍ତିଙ୍କୁ ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ କରିଥିଲା। ଏହି କ୍ରମରେ ସୌମ୍ୟଙ୍କ ଘନିଷ୍ଠ ସାଙ୍ଗ ନିଆଳି ଅଞ୍ଚଳର ନିଶିକାନ୍ତ ମହାନ୍ତି ଓ ଅନ୍ୟ କିଛି ଯୁବକ ଶନିବାର ଦିନ କ୍ରାଇମ୍ବ୍ରାଞ୍ଚରେ ହାଜର ହୋଇଥିଲେ। ତଦନ୍ତକାରୀ ଟିମ୍ ନିଶିକାନ୍ତ ମହାନ୍ତିଙ୍କୁ ସୌମ୍ୟଙ୍କ ବିଷୟରେ ବିଭିନ୍ନ ପ୍ରଶ୍ନ କରିଛି। ଚାକିରି ପୂର୍ବରୁ ସୌମ୍ୟଙ୍କ ଦୈନଦିନ ଜୀବନ କିଭଳି ଥିଲା, ତାଙ୍କର କାହା ସହିତ ବ୍ୟକ୍ତିଗତ ଶତ୍ରୁତା ଥିଲାକି ନାହିଁ, କେଉଁ କାରଣରୁ ସେ ମାନସିକ ଚାପରେ ରହୁଥିଲେ ବୋଲି ପ୍ରଶ୍ନ କରାଯାଇଛି। ସୌମ୍ୟଙ୍କ ସହିତ ହ୍ୱାଟ୍ସଆପ୍ରେ ହୋଇଥିବା କିଛି ଚାଟ୍ର ସ୍କ୍ରିନ୍-ସଟ୍ ସହ ଏକ ଡାଏରୀକୁ ନିଶିକାନ୍ତ ଶନିବାର କ୍ରାଇମ୍ବ୍ରାଞ୍ଚ୍ ଟିମ୍କୁ ଦେଇଛନ୍ତି । ଉକ୍ତ ଡାଏରୀରେ ସୌମ୍ୟ ନିଜର ବ୍ୟକ୍ତିଗତ କଥା ଲେଖୁଥିଲେ । କେଉଁମାନେ ତାଙ୍କୁ ମାନସିକ ଚାପ ଦେଉଥିଲେ ସେନେଇ ମଧ୍ୟ ସୌମ୍ୟ ଡାଏରୀରେ ଉଲ୍ଲେଖ କରିଥିବା ବିଷୟ ନିଶିକାନ୍ତ ଜଣାଇଛନ୍ତି । ଏମିତିକି ଜଣେ ଆଇପିଏସ୍ ଅଧିକାରୀ ଏବଂ ଭୁବନେଶ୍ୱରର ଜିମ୍ ମାଲିକ ବାରମ୍ୱାର ଧମକଚମକ ଦେଉଥିବାରୁ ସେ ମାନସିକ ଚାପରେ ରହିବା ସହ ଚାକିରି ଛାଡ଼ିବାକୁ ଚିନ୍ତା କରୁଥିଲେ ବୋଲି ସୌମ୍ୟ ଡାଏରୀରେ ଲେଖିଥିଲେ ବୋଲି ନିଶିକାନ୍ତ କହିଛନ୍ତି ।