ବେଲୁଚିସ୍ତାନ: ପୁଣିଥରେ ବେଲୁଚିସ୍ତାନରେ, ବେଲୁଚ୍ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ବଡ଼ ଧରଣର ଆକ୍ରମଣ କରିଛନ୍ତି । ବେଲୁଚିସ୍ତାନର ସ୍ୱାଧୀନତା ଦାବି କରୁଥିବା ବେଲୁଚ୍ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଅନେକ ଅଞ୍ଚଳରେ, ପାକିସ୍ତାନୀ ସୁରକ୍ଷା ବାହିନୀ ପଛକୁ ହଟିଥିବା ଦେଖାଯାଇଥିଲା ଏବଂ କିଛି ସ୍ଥାନରେ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ପୋଡ଼ି ଦିଆଯାଇଛି ।
ଏହି ଆକ୍ରମଣଗୁଡ଼ିକ ଚାରୋଟି ସହରରେ କରାଯାଇଛି । ତୁରବତ, କେଚ୍, କ୍ୱେଟା ଏବଂ ପଞ୍ଜଗୁର ସହରରେ ଆକ୍ରମଣ ହୋଇଛି । ତୁରବତର ଡି ବାଲୋଚ୍ ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା । ଏପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ସେହି ସମୟରେ, କେଚ୍ ଜିଲ୍ଲାର ବୁଲେଦା ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଏବଂ ପ୍ରବଳ ଗୁଳିଚାଳନା ହୋଇଥିବାର ଖବର ମିଳିଛି । ଏହି ଅଞ୍ଚଳରେ ସୀମିତ ଯୋଗାଯୋଗ ଯୋଗୁଁ, ବିସ୍ତୃତ ସୂଚନା ଉପଲବ୍ଧ ନାହିଁ ।
ବେଲୁଚିସ୍ତାନର ରାଜଧାନୀ କ୍ୱେଟାର ହଜାରଗଞ୍ଜି ଏବଂ ଫୈଜାବାଦ ଅଞ୍ଚଳରେ ପାକିସ୍ତାନ ସେନା ପୋଷ୍ଟ ଉପରେ ଦୁଇଟି ଗ୍ରେନେଡ୍ ଆକ୍ରମଣ କରାଯାଇଥିଲା । ପଞ୍ଜଗୁରର ୱାଶବୋଡ ଅଞ୍ଚଳରେ CPEC ରାଜପଥକୁ ବନ୍ଦ କରିଦିଆଯାଇଥିଲା ଏବଂ ସଶସ୍ତ୍ର ଲୋକମାନେ ଯାନବାହାନ ଯାଞ୍ଚ କରିଥିଲେ ଏବଂ ଯାତ୍ରୀମାନଙ୍କ ପରିଚୟ ଯାଞ୍ଚ କରିଥିଲେ।
ଅନ୍ୟପଟେ, ପାକିସ୍ତାନ ପୁଣି ଶୁକ୍ରବାର ରାତିରେ ଡ୍ରୋନ୍ ସାହାଯ୍ୟରେ ୪ଟି ରାଜ୍ୟର ୨୬ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିବାବେଳେ, ତାର ସମସ୍ତ ଡ୍ରୋନକୁ ବିଫଳ କରିଛି ଭାରତୀୟ ସେନା । ପଞ୍ଜାବର ଫିରୋଜପୁରରେ ଗୋଟିଏ ବ୍ୟତୀତ ସମସ୍ତ ଡ୍ରୋନ ନଷ୍ଟ ହୋଇଯାଇଥିଲା । ଫିରୋଜପୁରରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ପରିବାରର ତିନି ଜଣ ଆହତ ହୋଇଛନ୍ତି, ସେମାନଙ୍କର ଚିକିତ୍ସା ଚାଲିଛି ।
Comments are closed.