Latest Odisha News

BREAKING NEWS

ଏପଟେ ଭାରତର ଆକ୍ରମଣ ଭୟ, ସେପଟେ ବାଲୁଚ୍ ବିଦ୍ରୋହୀ କବଜା କଲେ ପାକିସ୍ତାନର ଏହି ସହର !

ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । କିନ୍ତୁ ଏହି ମଧ୍ୟରେ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ ବଡ଼ ଘଟଣା ଘଟିଛି । ପାକିସ୍ତାନର କଲାତ ଜିଲ୍ଲାର ମାଙ୍ଗୋଚର ସହରରେ ଅନେକ କୋଠା ବାଲୁଚ୍ ବିଦ୍ରୋହୀଙ୍କ ଦ୍ୱାରା କବଜା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଏବଂ ରିପୋର୍ଟ ଅନୁସାରେ ବିଦ୍ରୋହୀମାନେ ସହରରେ ସରକାରୀ କୋଠା ଏବଂ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପାକିସ୍ତାନୀ ସେନା ଏବଂ ବାଲୁଚ୍ ବିଦ୍ରୋହୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା, ଯେଉଁଥିରେ ବିଦ୍ରୋହୀମାନେ ଏକ ସେନା ଶିବିର ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଲେ।

ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ପାକିସ୍ତାନ ଭାରତଠାରୁ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ତା’ର ପଶ୍ଚିମ ସୀମାରେ ଅଧିକ ସୈନ୍ୟ ମୁତୟନ କରିବାରେ ଲାଗିଛି । ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ଆହୁରି ଖରାପ ହୋଇଛି।

ଗତ କିଛି ମାସ ଧରି ବାଲୁଚ୍ ଲିବରେସନ୍ ଆର୍ମି (BLA) ଏବଂ ଅନ୍ୟ ବିଦ୍ରୋହୀ ଗୋଷ୍ଠୀ ପାକିସ୍ତାନର ସୁରକ୍ଷା ବାହିନୀ ଉପରେ କ୍ରମାଗତଭାବେ ଆକ୍ରମଣ କରୁଛନ୍ତି।

ବେଲୁଚିସ୍ତାନର ମାଙ୍ଗୋଚର ସହରକୁ ବାଲୁଚ୍ ବିଦ୍ରୋହୀଙ୍କ ଦ୍ୱାରା କବଜା ଏବଂ ପାକିସ୍ତାନର ପଶ୍ଚିମ ସୀମାରେ ବଢ଼ୁଥିବା ସଙ୍କଟ ଇସଲାମାବାଦ ପାଇଁ ଏକ ଗମ୍ଭୀର ଆଭ୍ୟନ୍ତରୀଣ ସୁରକ୍ଷା ଚ୍ୟାଲେଞ୍ଜ ପାଲଟିଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଏହି ଘଟଣାକ୍ରମ ସେଠାକାର ଆଞ୍ଚଳିକ ସ୍ଥିରତା ପାଇଁ ନୂତନ ଚିନ୍ତା ସୃଷ୍ଟି କରୁଛି।

ଏପ୍ରିଲ ୨୬ ତାରିଖରେ ବେଲୁଚିସ୍ତାନରେ ଏକ ଆଇଇଡି ବିସ୍ଫୋରଣରେ ୧୦ ଜଣ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା, ଏହା ପଛରେ BLA ରହଥିଲା। ଏହି ବର୍ଷ ମାର୍ଚ୍ଚ ମାସରେ, ବାଲୁଚ୍ ଲିବରେସନ୍ ଆର୍ମି ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା, ଯେଉଁଥିରେ ୩୮୦ଜଣ ଯାତ୍ରୀ ଥିଲେ।

ଏହା ପରେ, ପାକିସ୍ତାନ ସେନା ଅପରେସନ୍ ଗ୍ରୀନ୍ ବୋଲାନ୍ ଆରମ୍ଭ କରିଥିଲା, ଯେଉଁଥିରେ ସରକାରୀ ସଂଖ୍ୟା ଅନୁସାରେ ୬୪ଜଣ ଲୋକ ପ୍ରାଣ ହରାଇଥିଲେ। BLA ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲା ୫୦ ଜଣ ସୈନିକ ଏବଂ ୨୧୪ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଛି।

Comments are closed.