Latest Odisha News

ଆସନ୍ତାକାଲି ବନକଲାଗି ନୀତି; ୫ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ହେବ ଶ୍ରୀମନ୍ଦିରରେ ବନକଲାଗି ନୀତି । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତ ମହାପାତ୍ର ସେବାୟତ । ଏଥିଲାଗି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।

ଚୈତ୍ର ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ପରଠାରୁ ପୁଣି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏହି ସୂଚନା ଦିଆଯାଇଛି।

ହିଙ୍ଗୁଳ,ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି । ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ସେଗୁଡିକ ହେଲା କଳା, ଧଳା, ନାଲି ଓ ହଳଦିଆ । ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ । ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର କରାଯାଏ । ହରିତାଳ ଲାଲ ରଙ୍ଗ ପାଇଁ ଦରକାର । ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଙ୍ଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ । ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ । ପ୍ରତ୍ୟେକ ସାମଗ୍ରୀକୁ ରୂପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ ।

 

Comments are closed.