Latest Odisha News

ବୁଧବାର ହେବ ବନକଲାଗି ନୀତି, ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଓ ବିବାଦର ଅବସାନ ଘଟିଛି । ଆଜି  ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମାସକୁ ଦୁଇ ଥର ବୁଧବାର ବନକଲାଗି ନୀତି ଅନୁଷ୍ଠିତ ହେବ । ଯଦି ବୁଧବାର ବିଶେଷ ନୀତି ରହିବ ତାହେଲେ ଗୁରୁବାର ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର କରାଯିବ ।

ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତମହାପାତ୍ର ସେବାୟତ ମାନେ ନୀତି ସମ୍ପର୍ଣ୍ଣ କରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଗତ ଜୁଲାଇ ୧ ତାରିଖରୁ ଏକ ମାସ ଧରି ବନକଲାଗି ନୀତି ହୋଇ ନଥିବା ବେଳେ ବୁଧବାର ନା ଗୁରୁବାର କରାଯିବ । ସେ ନେଇ ଅନଶ୍ଚିତତା ଲାଗି ରହିଥିଲା ।

ଦତ୍ତମହାପାତ୍ର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜ ଜିଦରେ ଅଟଳ ରହିବାରୁ ଏକମାସ ଧରି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇ ପାରିନାହିଁ । ତେବେ ଆସନ୍ତା ବୁଧବାର ୯ ତାରିଖରେ ବନକଲାଗି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ କହିଥିବା ବେଳେ ଦତ୍ତମହାପାତ୍ର ସେବାୟତଙ୍କ ସହମତିକୁ ଅପେକ୍ଷା ରହିଛି ।

ଆଜି ବସିଥିବା ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଉପରେ ଆଲୋଚନା ହୋଇଛି । ଭକ୍ତଙ୍କ ପ୍ରବେଶ ପାଇଁ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଉନ୍ମୁକ୍ତ ରହିଥିବା ବେଳେ ପୁରୀବାସୀଙ୍କ ପାଇଁ ପରିଚୟପତ୍ର ଆଧାରରେ ପଶ୍ଚିମଦ୍ବାର ଉନ୍ମୁକ୍ତ ରହିଛି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଚାଲୁଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଉତ୍ତର ଓ ଦକ୍ଷିଣ ଦ୍ୱାର ଖୋଲିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.