Latest Odisha News

BREAKING NEWS

ଯନ୍ତ୍ରଣାରେ ଛଟପଟ ଶୈଶବ; ବଞ୍ଚିବାର ରାହା ଖୋଜୁଛି ୫ ବର୍ଷର ଶିଶୁ

ଯାଜପୁର: ହସିବା ଖେଳିବା ବୟସରେ ଶଯ୍ୟାଶାୟୀ ୫ ବର୍ଷର ଶିଶୁ। ବର୍ଷେ ତଳେ ଭାଙ୍ଗିଥିବା ଗୋଡ ଏବେ ନଷ୍ଟ ହେବାକୁ ବସିଛି। ଏଭଳି ଅବସ୍ଥାରେ ରୋଗ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଟାଙ୍ଗରସାହି ଗ୍ରାମର ସ୍ବର୍ଗତ ରାଜୀବ ବାଦ୍ରା ଙ୍କ ସାନପୁଅ ଜୱାର ବାଦ୍ରା। ବର୍ଷେ ତଳେ ଖେଳୁଖେଳୁ ଗଛରୁ ପଡ଼ି ଯାଇଥିଲା। ଫଳରେ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା।

ଗୋଡର ହାଡ ଭାଙ୍ଗି ବାହାରକୁ ବାହାରି ଆସିଥିଲା। ପରେ ଚିକିତ୍ସା ପାଇଁ ଶିଶୁକୁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଏହାର ଆଶୁ ଚିକିତ୍ସା କରି କଟକ ବଡ଼ ମେଡ଼ିକାଲକୁ ନେବାପାଇଁ ପରାମର୍ଶ ଦେଇଥିଲେ । ହେଲେ ପାଖରେ ଟଙ୍କା ନଥିବାରୁ କଟକ ନେବା ପରିବର୍ତ୍ତେ ପୁଅକୁ ନେଇ ଘରକୁ ଫେରି ଆସିଥିଲେ ମା। ପୁଅର ଚିକିତ୍ସା ନ କରାଇ ଭଙ୍ଗା ଗୋଡ଼ରେ କପଡା ଗୁଡାଇ ଛାଡି ଦେଇଥିଲେ ।

ହେଲେ ଚିକିତ୍ସା ଅଭାବରୁ ଏହି ଗୋଡଟି ଏବେ ନଷ୍ଟ ହେବାକୁ ବସିଲାଣି । କ୍ଷତ ସ୍ଥାନ ପଚି ପୂଜ ବାହାରୁଛି। ଫଳରେ ଅସହ୍ୟ ଯନ୍ତ୍ରଣାରେ ଶିଶୁଟି ଛଟପଟ ହେଉଛି । ତେଣୁ ପୁଅର ଚିକିତ୍ସା ପାଇଁ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ମା ।

୫ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ପରେ ୩ ପିଲା ଓ ବୁଢି ଶାଶୁ ମାଙ୍କ ବୋଝ ରହିଛି ସ୍ତ୍ରୀ ବିରେନ ଙ୍କ କାନ୍ଧରେ। ଦିନ ମଜୁରିଆ ଭାବେ କାମ କରି ସେ ଏହି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ବୋଝ ଉପରେ ନଳିତା ବିଡା ପରି ୫ ବର୍ଷର ସାନ ପୁଅ ସହ ଏପରି ଅଘଟଣ ଘଟିଲା। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ହୋଇ ପାରିଲା ନାହିଁ।

ଫଳରେ ଆଜି ଏହି କୋମଳମତି ଶିଶୁଟି ତାର ଗୋଡ ହରାଇବାକୁ ବସିଛି। ତେବେ ଶିଶୁଟିର ଏଭଳି ଅବସ୍ଥା ଦେଖି ସରକାର ତୁରନ୍ତ ତାକୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ସ୍ବେଚ୍ଛାସେବୀ ଦାବି କରିଛନ୍ତି। ସେପଟେ ଖୁବଶୀଘ୍ର ଶିଶୁଟିର ଚିକିତ୍ସା କରାଯାଇ ତାର ଥଇଥାନ ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ଦାନଗଦୀ ବିଡିଓ କହିଛନ୍ତି।

Comments are closed.