Latest Odisha News

ମ୍ୟାକଡୋନାଲ୍ଡର ଉତ୍ପାଦ କିଣିବାକୁ ଲୋକଙ୍କୁ ନିବେଦନ କଲା ବର୍ଗର୍‌ କିଙ୍ଗ୍‌

ନୂଆଦିଲ୍ଲୀ: ଯେଉଁ କ୍ଷେତ୍ର ହେଉନା କାହିଁକି, ବର୍ତ୍ତମାନ ସବୁ ‌କ୍ଷେତ୍ରରେ ପ୍ରତିଯୋଗିତା ଜୋର୍‌ ଧରିଛି। ତେବେ ନାମୀଦାମୀ କମ୍ପାନି ବର୍ଗର କିଙ୍ଗ୍‌ସ ଯେତେବେଳେ ଟ୍ୱିଟରରେ ମ୍ୟାକଡୋନାଲ୍ଡରୁ ବର୍ଗର କିଣିବା ପାଇଁ ଲୋକଙ୍କୁ ନିବେଦନ କଲା, ସେତେବେଳେ ଲୋକମାନଙ୍କ ମନରେ ଏହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା।
ବାସ୍ତବରେ, ବର୍ଗର୍‌ କିଙ୍ଗ ୟୁକେ ୨ ନଭେମ୍ବରରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲା ​​ଯାହାକୁ ଏବେ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି। ବର୍ଗର୍‌ କିଙ୍ଗ ଏବଂ ମ୍ୟାକଡୋନାଲ୍ଡ ପରସ୍ପରର ତୀବ୍ର ପ୍ରତିଦ୍ୱନ୍ଦୀ ହୋଇଥିଲେ ମଧ୍ୟ ସୋସିଆଲ ମିଡିଆରେ ବର୍ଗର୍‌ କିଙ୍ଗ ୟୁକେ ଦ୍ୱାରା ଏହି ପୋଷ୍ଟକୁ ଏବେ ବହୁତ ପସନ୍ଦ କରାଯାଉଛି।

ଏହି ପୋଷ୍ଟରେ ବର୍ଗର୍‌ କିଙ୍ଗ ଲେଖିଛି, ‘ଆମେ କେବେ ଭାବି ନଥିଲୁ ଦିନେ ଆପଣଙ୍କୁ ଏହା କରିବାକୁ କହିବୁ। ଆମେ କଦାପି ଭାବି ନ ଥିଲୁ ଯେ ଆମେ ଆପଣଙ୍କୁ ପିଜା ହଟ୍‌, କେଏଫ୍‌ସି, ଡୋମିନୋସ୍‌, ମ୍ୟାକଡୋନାଲ୍ଡ କିମ୍ବା ଅନ୍ୟାନ୍ୟ ଫାଷ୍ଟଫୁଡ ଚେନରୁ ଖାଦ୍ୟ ଅର୍ଡର କରିବାକୁ କହିବୁ। ଆମେ କେବେ ଭାବି ନ ଥିଲୁ ଯେ ଆମେ ଆପଣଙ୍କୁ ଏହା କରିବାକୁ କହିବୁ, କିନ୍ତୁ ବିଶ୍ୱର ବିଭିନ୍ନ ରେଷ୍ଟୁରାଣ୍ଟରେ କାମ କରୁଥିବା ହଜାର ହଜାର ଲୋକ ଆପଣଙ୍କ ସାହାଯ୍ୟ ଆବଶ୍ୟକ କରନ୍ତି। ‘

ଉଲ୍ଲେଖନୀୟ କଥା ହେଉଛି, ମହାମାରୀ କରୋନା ସମଗ୍ର ବିଶ୍ୱକୁ ଥରାଇ ଦେଇଛି। ସମସ୍ତ ବ୍ୟବସାୟ କ୍ଷେତ୍ରଗୁଡ଼ିକ ମଧ୍ୟ ବହୁଳ ଭାବରେ ପ୍ରଭାବିତ ହୋଇଛି, କିନ୍ତୁ ପର୍ଯ୍ୟଟନ କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଶିଳ୍ପଗୁଡ଼ିକ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଛି।

ତେବେ ଭାରତରେ ପର୍ଯ୍ୟଟନ ଏପଂ ହୋଟେଲ୍‌ ଶିଳ୍ପଗୁଡ଼ିକ ପୁଣି ଥରେ ଖୋଲାଯାଇଛି। କିନ୍ତୁ ବ୍ୟବସାୟକୁ ଟ୍ରାକକୁ ଫେରିବା ଆଣିବା ପାଇଁ ଯଥେଷ୍ଟ ସମୟର ଆବଶ୍ୟକତା ରହିଛି। ଏଥି ସହିତ ପାଶ୍ଚାତ୍ୟ ଦେଶମାନଙ୍କରେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଏବେ ପୁଣି ଥରେ ଲକଡାଉନ୍ ଜାରି କରାଯାଉଛି। ଏଭଳି ପରିସ୍ଥିତିରେ ବର୍ଗର୍‌ କିଙ୍ଗ୍‌ର ଏହି ଆବେଦନକୁ ନେଇ ସମଗ୍ର ବିଶ୍ୱବାସୀ ଉତ୍ସାହିତ ଅଛନ୍ତି। କାରଣ ଏଥିରେ ପ୍ରତିଦ୍ୱନ୍ଦୀ କମ୍ପାନୀରେ କାର୍ଯ୍ୟ କରୁଥିବା ହଜାର ହଜାର ଲୋକ ପ୍ରତି ସହାନୁଭୂତି ଏବଂ ସାହାଯ୍ୟ ପାଇଁ ନିବେଦନ କରାଯାଇଛି।

Leave A Reply

Your email address will not be published.