Latest Odisha News

BREAKING NEWS

‘ଭୀମସାର’ ନିର୍ଦ୍ଦେଶକଙ୍କୁ ସମର୍ଥନ କରି ୧୨ ଘଣ୍ଟିଆ ବୁର୍ଲ୍ଲା ବନ୍ଦ, ଜୀବନଯାତ୍ରା ବାଧାପ୍ରାପ୍ତ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ ସାଇନ୍ସେସ ଏଣ୍ଡ ରିସର୍ଚ୍ଚ (ଭୀମସାର) ନିର୍ଦ୍ଦେଶକ ଅଶ୍ୱିନୀ ପୁଜାହାରିଙ୍କୁ ରାଜ୍ୟ ସରକାର ଛୁଟିରେ ପଠାଇବା ନିଷ୍ପତ୍ତିକୁ ବିରୋଧ କରି ବୁର୍ଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବୁର୍ଲ୍ଲା ବନ୍ଦ ଡ଼ାକରା ଦିଆଯାଇଛି । ଏହା ଫଳରେ ସମଗ୍ର ବୁର୍ଲ୍ଲା ସହରରେ ଜୀବନଯାତ୍ରା ବ୍ୟାହତ ହୋଇଛି ।

ସମଗ୍ର ବୁର୍ଲ୍ଲାରେ ସକାଳ ୬ଟା ଠାରୁ ଏହି ବନ୍ଦ ଡ଼ାକରା ଦିଆଯିବା ଫଳରେ ସହରର ପ୍ରାୟ ଅଧିକାଂଶ ଦୋକାନ, ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଏପରିକି ଶିକ୍ଷାନୁଷ୍ଠାନ ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯିବା ଫଳରେ ବୁଲ୍ଲାର ବିଭିନ୍ନ ମୁଖ୍ୟ ସଡ଼କଗୁଡ଼ିକରେ ଟାୟାର ଜାଣି ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ଫଳରେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ସହରର ଅଧିକାଂଶ ଛକ ଯାଗାମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଯୋଗୁଁ ଶହ ଶହ ସଂଖ୍ୟାରେ ବସ ଟ୍ରକ୍ ପଡ଼ିରହିଛି । ଯାତ୍ରୀମାନେ ହନ୍ତସନ୍ତ ହେବା ସହିତ ବୁର୍ଲ୍ଲା ସହର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି ।

ନାଗରିକ ମଞ୍ଚର ଏହି ବନ୍ଦ ପାଳନକୁ ସହରର ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ସମର୍ଥନ କରୁଥିବାର ସୂଚନା ମିଳିଛି ।

ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କ ଅବସର ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ରହିବାର ସୁଯୋଗ ଦିଆଯିବା ସହିତ ତାଙ୍କ ବିରୋଧରେ ଛୁଟି ନିର୍ଦ୍ଦେଶକୁ ବାତିଲ୍ କରିବାର ଦାବି କରିଛନ୍ତି ଆନ୍ଦୋଳନ କରୁଥିବା ସଂଗଠନ ।

“ବୁର୍ଲ୍ଲାସ୍ଥିତ ‘ଭୀମସାର’ର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବା ପରେ ଏଠାକାର ସ୍ୱାସ୍ଥ୍ୟସେବା ବେଶ୍ ଉନ୍ନତି ଘଟିବା ସହିତ ରୋଗୀମାନେ ମଧ୍ୟ ଉନ୍ନତମାନର ଚିକିତ୍ସାର ସୁଯୋଗ ନେଇପାରୁଛନ୍ତି । ପ୍ରଫେସର ଅଶ୍ୱିନୀ ପୁଜାହାରିଙ୍କ ଅକ୍ଳାନ୍ତ ଉଦ୍ୟମ ତଥା କଠିନ ପରିଶ୍ରମ ଯୋଗୁଁ ଭୀମସାରରେ ଉନ୍ନତମାନର ବୈଷୟିକ ଚିକିତ୍ସା ମେସିନ ଆସିପାରିବା ସହିତ ବୁର୍ଲ୍ଲାରେ ନର୍ସିଂ କଲେଜ ସ୍ଥାପିତ ହୋଇପାରିଛି । ଆମେ ତାଙ୍କର ତୁରନ୍ତ ପୁନର୍ନିିଯୁକ୍ତି ଚାହିଁବା ସହିତ ତାଙ୍କୁ ପୁନର୍ବାର ଭୀମସାରର ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଯିବାକୁ ଆମେ ଦାବି କରୁଛୁ । ଯଦି ସରକାର ତାଙ୍କୁ ପୁନର୍ବାର ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ନକରନ୍ତି ଏବଂ ‘କନିଷ୍ଠ ଡ଼ାକ୍ତର ସଂଘ’ ତାଙ୍କୁ ବଦଳି ଦାବି ପ୍ରତ୍ୟାହାର ନକରନ୍ତି ତେବେ ଏହି ଆନ୍ଦୋଳନ ଆଗାମୀ ଦିନରେ ‘ମହା ବନ୍ଦ’ର ରୂପ ନେବ” ବୋଲି ମଞ୍ଚ ପକ୍ଷରୁ ଜଣେ ଅନ୍ଦୋଳନକାରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଭୀମସାରର ପିଜି ଛାତ୍ରମାନେ ଗତବର୍ଷ କିଛି ଲୋକଙ୍କୁ ପରିସର ମଧ୍ୟରେ ପିଟୁଥିବାର ଏକ ଭିଡ଼ିଓ ଫୁଟେଜ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ଦାବି କରିଛନ୍ତି । ତେବେ, ଏହି ଭିଡ଼ିଓ ଫୁଟେଜକୁ ଯାଞ୍ଚ ଲାଗି ପୁନେ ପଠାଯାଇଥିବା ପ୍ରକାଶ କରିଥିଲେ ପୋଲିସ । ଏହି ଭିଡ଼ିଓ ଫୁଟେଜକୁ ଯାଞ୍ଚ ଲାଗି ପୁନେ ପଠାଯାଇଥିବା କଥା ପୋଲିସ କହୁଥିଲେ ମଧ୍ୟ ଏନେଇ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ । “ଅନ୍ୟପକ୍ଷରେ, ଜୁନିୟର ଡ଼ାକ୍ତରଙ୍କ ଦାବିକୁ ସମର୍ଥନ କରି ରାଜ୍ୟ ସରକାର ତିନିଦିନ ମଧ୍ୟରେ ପ୍ରଫେସର ପୂଜାହାରିଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇବା ଆଇନ ବିରୁଦ୍ଧ ତଥା ଅନୈତିକ ଅଟେ । ରାଜ୍ୟ ସରକାରଙ୍କ ଏହି ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆମେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛୁ,” ବୋଲି କହିଛନ୍ତି ଜଣେ ଆନ୍ଦୋଳନରତ ବିକ୍ଷୋଭକାରୀ ।

Leave A Reply

Your email address will not be published.