Latest Odisha News

BREAKING NEWS

ଇନଷ୍ଟାଗ୍ରାମରେ ରାଜ କରୁଛି ବନ୍ଦିତାଙ୍କ ଖାଣ୍ଟି ଓଡିଆଣୀ ହାତରନ୍ଧା

ଭକ୍ତି ଓ ଭାବପ୍ରବଣତା ଏକ ଫେଣ୍ଟାଫେଣ୍ଟି ଅବରୋଧ ଭିତରେ ସେ ଖୋଜନ୍ତି ନିଜ ପ୍ରିୟ କାଳିଆ ଠାକୁରଙ୍କୁ । ପୁରୀରେ ତାଙ୍କର ଜନ୍ମ ହୋଇଥିବା ବେଳେ ତାଙ୍କ ପରିବାର ଜଗନ୍ନାଥ ସଂସ୍କୃତି ସହ ଜଡିତ । ବାପାଜେଜେଙ୍କ ଭଳି ସେ ବି ଚାହାନ୍ତି ସାଆନ୍ତଙ୍କ କଥା, ପରମ୍ପରା ଓ କିମ୍ବଦନ୍ତୀ  ଭକ୍ତଙ୍କ ପାଖରେ ପହଞ୍ଚାଇବାକୁ । ମହାପ୍ରଭୁଙ୍କ ଅବଢାଠାରୁ ଲକ୍ଷ୍ମୀ ସାଆନ୍ତାଣୀଙ୍କ ରସଗୋଲା ଯାଏଁ । ଶ୍ରୀକ୍ଷେତ୍ରରୁ ଦୂରରେ ଥାଏ ସେ ନିଇତି ଝୁରି ହୁଅନ୍ତି ସେହି ମହମହ ବାସ୍ନାକୁ, ଝୁରି ହୁଅନ୍ତି ତା ମନ ପସନ୍ଦର ବ୍ୟଞ୍ଜନକୁ । ହଁ ଆମେ କହୁଛୁ ବନ୍ଦିତା ରଥଶର୍ମାଙ୍କ କଥା ।

ମୁମ୍ବାଇରେ ରୁହନ୍ତି ବନ୍ଦିତା । ମାୟାନଗରୀରେ ଏବେ ଘର ସଂସାର । ହେଲେ କାଳିଆ ମାୟାଠାରୁ ନିଜକୁ ଦୂରେଇ ପାରିନାହାନ୍ତି ସେ । ଓଡିଆର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର । ଓଡିଆଙ୍କ ପ୍ରାଣ ଶ୍ରୀଜଗନ୍ନାଥ । ତେଣୁ ତ କାଳିଆ ଭଲ ପାଉଥିବା ତା ସୁଆଦିଆ ଖାଦ୍ୟକୁ ଦେଶବିଦେଶର ଲୋକଙ୍କ ପାଖରେ ପଞ୍ଚାଇବାକୁ ଆରମ୍ଭ କରିଛନ୍ତି ଏକ ଛୋଟିଆ ପ୍ରୟାସ ।

ଇନଷ୍ଟାଗ୍ରାମରେ ନିଜର ଏକ ପେଜ୍ କରି ଶ୍ରୀକ୍ଷେତ୍ରକୁ ଆହୁରି ମହନୀୟ କରିବାକୁ ଜାରି ରଖିଛନ୍ତି ଚେଷ୍ଟା । ଏହାର ନାଁ ରଖିଛନ୍ତି ‘@କରି _ଟେଲସ୍_ବାଇ ବନ୍ଦିତା'(curry_tales_by_bandita) । ଏଥିରେ କେବଳ ପୁରୀର ପାରମ୍ପରିକ ଖାଦ୍ୟ ନୁହେଁ ଲୋକେ ପସନ୍ଦ କରୁଥିବା ଓଡିଆ ଘରର ଖାଦ୍ୟକୁ ମଧ୍ୟ ସ୍ଥାନ ଦେଇଛନ୍ତି । ସେ ପୋଷ୍ଟ କରିଥିବା ବରା ଘୁଗୁନି, ମାଛ ବେସର, ମକର ଚାଉଳ, ଦହିବରା ଆଳୁଦମ୍‌, ପଖାଳକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି ।

ଥରେ ସେ ରହୁଥିବା ସୋସାଇଟିରେ ଏକ ଫୁଡ୍ ଫେଷ୍ଟିଭାଲ ଚାଲିଥାଏ । ସେଠାକୁ ବନ୍ଦିତା ଓଡିଆ ଖାଦ୍ୟ ପ୍ରସ୍ତୁତ କରି ନେଇଥାନ୍ତି । ସେଠାରେ ତାଙ୍କ ହାତ ତିଆରି ପିଠା ଓ ବିଭିନ୍ନ ତରକାରୀ ଖାଇ ଲୋକେ ତାଙ୍କୁ ବାହାବା କରିଥିଲେ । ଓଡିଶାରେ ବି ଏତେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ ହୁଏ ବୋଲି ସେମାନଙ୍କ ଆଲୋଚନା ବନ୍ଦିତାଙ୍କୁ ଉତ୍ସାହିତ କରିଥିବା ଇନଷ୍ଟାଗ୍ରାମରେ ନିଜର ଖାଦ୍ୟକୁ ପରିଷିବାକୁ । ଏଥି ସହ ବିଶ୍ୱ ଦରବାରରେ ଓଡିଶାର ଜୀବନ ଶୈଳୀ, ଓଡିଆଙ୍କ ଖାଦ୍ୟପେୟର ରୁଚିକୁ ପହଞ୍ଚାଇବାକୁ ।

ବନ୍ଦିତା ଏବେ କ୍ଲିନିକାଲ ସାଇକୋଲୋଜିରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି । ଘର ସଂସାରର ସହ ପାଠପଢା ତା ସାଙ୍ଗକୁ ତାଙ୍କର ଏହି ଉଦ୍ୟମକୁ ତାଙ୍କ ସାଙ୍ଗସାଥୀ ଓ ପରିବାର ଲୋକେ ବେଶ ପ୍ରଶଂସା କରିଥାନ୍ତି ।  ଆଉ ଏହା ତାଙ୍କୁ ପ୍ରେରଣା ଯୋଗାଇ ଥାଏ ନୂଆ ନୂଆ ଓ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପରସି ଦେବାକୁ ।

Leave A Reply

Your email address will not be published.