Latest Odisha News

ବାଂଲାଦେଶରେ ସେନା, ସିକ୍ରେଟ୍ ମିଟିଂ, ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ବାଂଲାଦେଶ ରାଜନୀତିରେ ବଡ଼ ଟ୍ବିଷ୍ଟ । ଫେରିବ ଆଓ୍ବାମି ଲିଗର ପରିବର୍ତ୍ତିତ ରୂପ ! ସେନା ମୁଖ୍ୟଙ୍କ ସହ ସିକ୍ରେଟ୍ ମିଟିଂ ।  ପୁଣି ଅସ୍ଥିରତା, ସଡକରେ ସେନା । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି । ନିକଟରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ୍ ଓ୍ବକର ଉଜ୍ ଜମାନ ଛାତ୍ରନେତାଙ୍କ ସହ ଗୁପ୍ତ ସାକ୍ଷାତକାର କରିଥିଲେ । ଶେଖ ହାସିନାଙ୍କ ଦଳ ଆଓ୍ବାମୀ ଲିଗର ନୂଆ ନାମକରଣ କରାଯାଇ ଏହାକୁ ପୁଣି ବାଂଲାଦେଶ ରାଜନୀତିରେ ସକ୍ରିୟ କରିବାକୁ ସେନା ପ୍ରସ୍ତାବ ଦେଇଥିବା ବୈଠକରେ ସାମିଲ ଛାତ୍ରନେତା କହିଥିଲେ । ଏହାକୁ ନେଇ ବାଦବିବାଦ ତେଜିଥିବା ବେଳେ ଢାକାରେ ମାର୍ଚ୍ଚ କରିଛି ସେନା ।

ସେନା ମୁଖ୍ୟଙ୍କ ସହ ସିକ୍ରେଟ୍ ମିଟିଂ

ବାଂଲାଦେଶରେ ହସିନା ସରକାରଙ୍କୁ କ୍ଷମତାଚ୍ୟୁତ କରିବାରେ ବଡ ଭୂମିକା ନେଇଥିବା ଛାତ୍ରନେତା ହସନତ ଅବ୍ଦୁଲାହ ଓ ସରଜିସ ଆଲମ ମାର୍ଚ୍ଚ ୧୧ତାରିଖରେ ସେନା ମୁଖ୍ୟ ଜେନେରାଲ୍ ଓ୍ବକର ଉଜ୍ ଜମାନଙ୍କ ସହ ଗୁପ୍ତ ବୈଠକ କରିଥିଲେ । ତେବେ ଗୁପ୍ତ ବୈଠକକୁ ହସନତ ଅବ୍ଦୁଲାହ ସାର୍ବଜନୀନ କରିବା ପରେ ବାଂଲାଦେଶ ରାଜନୀତିରେ ଝଡ଼ ଆସିଛି । ବୈଠକରେ ଶେଖ ହସିନାଙ୍କ ଆଓ୍ବାମୀ ଲିଗକୁ ପୁଣି ରାଜନୀତିକୁ ଫେରାଇବା ନେଇ ପ୍ରସ୍ତାବ ଦିଆଯାଇଥିଲା । ଏଭଳି କଲେ ସେମାନଙ୍କୁ ରାଜନୈତିକ ଫାଇଦା ମିଳିବ ବୋଲି କୁହାଯାଇଥିଲା । ଏହାକୁ ସେନାର ହସ୍ତକ୍ଷେପ କହିବା ସହ ବାଂଲାଦେଶରେ ସେନାର ହସ୍ତକ୍ଷେପ ସ୍ବୀକାର କରାଯିବନି ବୋଲି ହସନତ ଅବ୍ଦୁଲାହ କହିଛନ୍ତି । ସେପଟେ ସେନା ଅବ୍ଦୁଲାହଙ୍କ ବୟାନକୁ ହାସ୍ୟାସ୍ପଦ ଓ ଅପରିପକ୍ବ କାହାଣୀ କହିଛି । ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ହସନତ ଅବ୍ଦୁଲାହଙ୍କ ସହ ଅନ୍ୟ ଛାତ୍ରନେତା, ନ୍ୟାସନାଲ ସିଟିଜେନ୍ ପାର୍ଟି ନାମରେ ନୂଆ ଦଳ ଗଠନ କରିଛନ୍ତି ।

ଫେରିବ କି ହସିନାଙ୍କ ଦଳ?

ଶେଖ ହସିନାଙ୍କ ଆଓ୍ବାମୀ ଲିଗକୁ ପରିବର୍ତ୍ତିତ ରୂପରେ ପୁଣି ବାଂଲାଦେଶ ରାଜନୀତିରେ ସକ୍ରିୟ କରିବାକୁ ଉଦ୍ୟମ କରାଯାଉଛି । ଭାରତ ସହାୟତାରେ ସେନା ବାଂଲାଦେଶରେ ଭିନ୍ନ କାର୍ଯ୍ୟକଳାପ ଚଳାଇଥିବା ହସନତ ଅବ୍ଦୁଲାହ କହିଛନ୍ତି । ତେବେ ହସିନାଙ୍କ ଦଳ ପୁଣି ବାଂଲାଦେଶ ରାଜନୀତିକୁ ଫେରିପାରିବନି । ସେମାନଙ୍କ ଶବ ଉପରେ ହିଁ ଆଓ୍ବାମୀ ଲିଗ ଫେରିବ ବୋଲି ହସନତ କହିଛନ୍ତି । ଏହାପରେ ବାଂଲାଦେଶ ରାଜନୀତିରେ ହଙ୍ଗାମା ହୋଇଛି । ପ୍ରତିବାଦରେ ଢାକା ବିଶ୍ବବିଦ୍ୟାଳୟ ଛାତ୍ର, ଇନକିଲାବ ମଞ୍ଚ, ଜୁଲାଇ ଓ୍ବରିୟର୍ସ ଓ ବାଂଲାଦେଶ ଷ୍ଟୁଡେଣ୍ଟ ରାଇଟସ କାଉନସିଲ ଭଳି ଅନେକ ସଂଗଠନ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ଆଓ୍ବାମୀ ଲିଗ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ଦାବି କରିଛନ୍ତି ।

ହାଇ ଆଲର୍ଟରେ ସେନା

ଦେଶରେ ରାଜନୈତିକ ହଲଚଲକୁ ନଜରରେ ରଖି ସେନା ହାଇଆଲର୍ଟରେ ରହିଛି । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ଢାକା ସମେତ ଅନ୍ୟ ପ୍ରମୁଖ ସହରରେ ବ୍ୟାପକ ସେନା ମୁତୟନ କରାଯାଇଛି । ରାମପୁରା, ଶାନ୍ତିନଗର, କକରୌଲ, ମୋହାଖାଲି ଭଳି ପ୍ରମୁଖ ଅଞ୍ଚଳରେ ସେନା ଯବାନଙ୍କ ପାଟ୍ରୋଲିଂ ଜୋରଦାର କରାଯାଇଛି । ହଠାତ୍ ସେନାର ଗତିବିଧି ବଢିଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ସେପଟେ ହସନତ ଅବ୍ଦୁଲାହଙ୍କ ଖୁଲାସା ପରେ ଛାତ୍ରନେତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ପାର୍ଟି ଫୋରମରେ ଚର୍ଚ୍ଚା ନକରି ହସନତ ଅବ୍ଦୁଲାହ ଗୋପନୀୟ ବୈଠକକୁ ଏଭଳି ସାର୍ବଜନୀନ କରିବା ଠିକ୍ ନଥିଲା ବୋଲି ଅନେକ ଛାତ୍ର ନେତା କହିଛନ୍ତି ।

୨୦୨୪ରେ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଅନ୍ତରୀଣ ସରକାର ମୁଖ୍ୟ ଭାବେ ମହମ୍ମଦ ୟୁନୁସଙ୍କୁ ଦାୟିତ୍ବ ଦିଆଯାଇଥିଲା । ହସିନା ପଦ ଛାଡିବା ପୂର୍ବରୁ ୪ମାସ ଧରି ଦେଶରେ ଅସ୍ଥିରତା ଲାଗି ରହିଥିଲା । ଆଶା କରାଯାଉଥିଲା, ହସିନା ହଟିବା ପରେ ବାଂଲାଦେଶରେ ସାନି ନିର୍ବାଚନ କରିବା ସହ ରାଜନୈତିକ ସ୍ଥିରତା ଆସିବ । ହେଲେ ୮ମାସ ବିତିଥିବା ବେଳେ ବାଂଲାଦେଶରେ ସ୍ଥିତି ଆହୁରି ସଂଗୀନ ହୋଇଛି । ଏପରିକି କୌଣସି ମୁହୁର୍ତ୍ତରେ ସେନା ନିଜ ହାତକୁ କ୍ଷମତା ନେଇପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.