Latest Odisha News

ଚିନ୍ମୟ ପ୍ରଭୁ କିଏ…ଯାହା ପାଇଁ ଜଳୁଛି ବାଂଲାଦେଶ

ନୂଆଦିଲ୍ଲୀ: ପୁଣି ଅସନ୍ତୋଷର ନିଆଁରେ ଜଳୁଛି ବାଂଲାଦେଶ । ଜୟ ଶ୍ରୀରାମ, ହର ହର ମହାଦେବ ନାରାରେ କମ୍ପୁଛି ରାସ୍ତାଘାଟ । ମଶାଲ ଶୋଭାଯାତ୍ରାରେ ହିନ୍ଦୁ ସମାଜ । ବାଂଲାଦେଶରୁ ଭାରତ, ଆମେରିକା ଯାଏଁ ଗୋଟିଏ ସ୍ବର, ଚିନ୍ମୟ ପ୍ରଭୁଙ୍କୁ ବଞ୍ଚାଅ । ସୋସିଆଲ୍ ମିଡିଆରେ ବି ଚିନ୍ମୟ ପ୍ରଭୁଙ୍କୁ ଗିରଫଦାରୀ ବିରୋଧୀ ସ୍ବର ଟ୍ରେଣ୍ଡ କରୁଛି । ବାଂଲାଦେଶରେ ଇସ୍କନର ଧର୍ମଗୁରୁ ଚିନ୍ମୟ କ୍ରିଷ୍ଣ ଦାସ ପ୍ରଭୁଙ୍କ ଗିରଫଦାରୀ ପରେ ରାସ୍ତାକୁ ଓହ୍ଲାଇଛନ୍ତି ହିନ୍ଦୁ । ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀ ହିନ୍ଦୁଙ୍କୁ ଡରାଇବାକୁ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ବାଂଲାଦେଶର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ସଭାରେ ବିରୋଧ ପ୍ରଦର୍ଶନ କରାଯାଉଛି । ତେବେ ହିନ୍ଦୁଙ୍କ ସଭାରେ କଟ୍ଟରପନ୍ଥୀ ଆକ୍ରମଣ କରିଥିବା ଅଭିଯୋଗ ହେଉଛି ।

ଚିନ୍ମୟ ପ୍ରଭୁ କିଏ?

ଚିନ୍ମୟ କ୍ରିଷ୍ଣ ଦାସ ବ୍ରହ୍ମଚାରୀ ବା ଚିନ୍ମୟ ପ୍ରଭୁ ଇସ୍କନ ଧର୍ମଗୁରୁ ତଥା ବାଂଲାଦେଶ ସନାତନ ଜାଗରଣ ମଞ୍ଚର ପ୍ରମୁଖ ନେତା। ଚଟଗାଓଁ ଇସ୍କନ ଧାମର ସେ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ବଢିଥିବା ବେଳେ ଏହା ବିରୋଧରେ ସ୍ବର ଉଠାଇ ଆସିଛନ୍ତି ଚିନ୍ମୟ ପ୍ରଭୁ । ବାଂଲାଦେଶରେ ଇସ୍କନର ୭୭ରୁ ଅଧିକ ମନ୍ଦିର ରହିଥିବା ବେଳେ ଏହା ସହ ପ୍ରାୟ ୫୦ହଜାରରୁ ଅଧିକ ଲୋକ ଯୋଡି ହୋଇ ରହିଛନ୍ତି । ଇସ୍କନର ମୁଖପାତ୍ର ବି ରହିଛନ୍ତି ଚିନ୍ମୟ ପ୍ରଭୁ । ବାଂଲାଦେଶରେ ମନ୍ଦିର ସୁରକ୍ଷା ନେଇ ବି ସେ ଅନେକ ଥର ସ୍ବର ଉଠାଇଛନ୍ତି  ।

କାହିଁକି ଟାର୍ଗେଟରେ ଚିନ୍ମୟ ପ୍ରଭୁ?

ଅଗଷ୍ଟ ୫ରେ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରଠୁ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନି । ଛାତ୍ର ଆନ୍ଦୋଳନ ସମୟରେ ହିଁ ହିନ୍ଦୁ ଧାର୍ମିକ ସ୍ଥଳ ଓ ହିନ୍ଦୁଙ୍କ ଘରକୁ ଟାର୍ଗେଟ୍ କରାଯାଇଥିଲା । ଏହା ବିରୋଧରେ ଲଗାତର ସ୍ବର ଉଠାଇ ବାଂଲାଦେଶର ଅନ୍ତରୀଣ ୟୁନୁସ ସରକାରର ନିଶାନାକୁ ଆସିଥିଲେ ଚିନ୍ମୟ ପ୍ରଭୁ । ଶୁକ୍ରବାର ରଙ୍ଗପୁରରେ ଏକ ବିଶାଳ ରାଲିକୁ ସମ୍ବୋଧନ କରିଥିଲେ । ଏହାକୁ ନେଇ ଚିହିଁକି ଉଠିଥିଲେ ବାଂଲାଦେଶର କଟ୍ଟରପନ୍ଥୀ । ସୋମବାର ଅପରାହ୍ନରେ ଚିନ୍ମୟ ପ୍ରଭୁଙ୍କୁ ଢାକା ଏୟାରପୋର୍ଟରୁ ଉଠାଇ ନେଇଥିଲା ଢାକା ପୋଲିସ। ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ଚିନ୍ମୟ ପ୍ରଭୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଯାଇଛି ।

ଗିରଫଦାରୀକୁ ବିରୋଧ…ବିକ୍ଷୋଭ

ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ହିନ୍ଦୁ ସମାଜ । ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ସହ ମଶାଲ ଶୋଭାଯାତ୍ରାରେ ବାହାରିଛନ୍ତି ବାଂଲାଦେଶର ହିନ୍ଦୁ। ତେବେ ସେମାନଙ୍କୁ ବିଏନପି ଓ ଜମାତ କାର୍ଯ୍ୟକର୍ତ୍ତା ଆକ୍ରମଣ କରୁଥିବା ଅଭିଯୋଗ ହେଉଛି। କଟ୍ଟରପନ୍ଥୀଙ୍କ ଆକ୍ରମଣରେ ଲହୁଲୁହାଣ ହେଉଛନ୍ତି ହିନ୍ଦୁ । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ପୋଲିସ ପ୍ରଶାସନ ମୁକଦର୍ଶକ ପାଲଟିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ୫୦ରୁ ଅଧିକ ହିନ୍ଦୁ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ହମଲା କରି ବୁଲୁଛନ୍ତି, ହକ୍ ମାଗି ଗିରଫ

ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନିନ୍ଦା କରିଛି । ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିବା ଅପରାଧୀ ଏବେବି ଖୋଲାରେ ବୁଲୁଛନ୍ତି । ହେଲେ ଶାନ୍ତିପୂର୍ଣ୍ଣ ସଭାରେ ହକ୍ ମାଗିଥିବା ଧର୍ମଗୁରୁଙ୍କ ନାଁରେ ଅଭିଯୋଗ ଅଣାଯାଉଛି । ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ଶାନ୍ତିପୂର୍ଣ୍ଣ ବିରୋଧ କରିଛି ଭାରତ । ଏହାସହ ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ଚିନ୍ତା ପ୍ରକାଶ କରିଛି । ହିନ୍ଦୁଙ୍କ ସମେତ ସବୁ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାଂଲାଦେଶ ଅଧିକାରୀଙ୍କୁ ଅପିଲ୍ କରାଯାଇଛି ।

ଅକ୍ଟୋବର ୨୫ତାରିଖରେ ଢାକା ନ୍ୟୁ ମାର୍କେଟରେ ସନାତନ ଜାଗରଣ ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ରାଲି ବେଳେ କିଛି ଯୁବକ ବାଂଲାଦେଶ ଜାତୀୟ ପତାକା ଉପରେ ଗେରୁଆ ପତାକା ଲଗାଇଥିଲେ । ଏଥିରେ ବାଂଲାଦେଶ ଜାତୀୟ ପତାକାର ଅପମାନ ହୋଇଥିବା ଦର୍ଶାଇ ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.