ନୂଆଦିଲ୍ଲୀ: ବାଂଲାଦେଶ ରାଜନୀତିରେ ବଡ଼ ହଲ୍ ଚଲ୍। ନିର୍ବାଚନ ପୂର୍ବରୁ ହସିନାଙ୍କ ସାଂଘାତିକ ବୟାନ । ଦେଶ ଛାଡ଼ିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବର୍ଷିଛନ୍ତି ହସିନା। ବାଂଲାଦେଶ ଏବେ ଆତଙ୍କବାଦର ଗଡ଼ ପାଲଟିଛି ଏବଂ ପୁରା ଦେଶ ଏକ ବଡ଼ ଜେଲ୍ରେ ପରିଣତ ହୋଇଛି ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି ।
ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେବା ପରେ ଶେଖ ହସିନାଙ୍କ ପ୍ରଥମ ସମ୍ବୋଧନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓ ମାଧ୍ୟମରେ ସେ ବାଂଲାଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଯେଉଁ ମାତୃଭୂମିକୁ ମୁକ୍ତି ସଂଗ୍ରାମ ମାଧ୍ୟମରେ ଜିତାଯାଇଥିଲା, ଆଜି ତାହା ଆତଙ୍କବାଦୀ ଏବଂ ବିଦେଶୀ ଅପରାଧୀଙ୍କ କବଜାରେ। “ଆମର ଶାନ୍ତ ଓ ଉର୍ବର ମାଟି ମାଆ ଆଜି ରକ୍ତାକ୍ତ ହୋଇପଡ଼ିଛି। ବାଂଲାଦେଶ ଏବେ ଏକ ବଡ଼ ଜେଲଖାନାରେ ପରିଣତ ହୋଇଛି, ଯେଉଁଠି ପ୍ରତିଦିନ ନିରୀହ ଲୋକଙ୍କ ଚିତ୍କାର ଶୁଣାଯାଉଛି। ଫେବୃଆରୀ ୧୨ ନିର୍ବାଚନ ପୂର୍ବରୁ ୟୁନୁସ ସରକାରଙ୍କୁ ଘେରିବା ପାଇଁ ହସିନା ଏବେ ଜନତାଙ୍କ ସମର୍ଥନ ଲୋଡ଼ିଛନ୍ତି।
ବାଂଲାଦେଶର ଅନ୍ତରୀଣ ସରକାର ହସିନାଙ୍କ ପାର୍ଟି ଆୱାମୀ ଲିଗ୍କୁ ନିର୍ବାଚନରୁ ବାଦ୍ ଦେଇଛନ୍ତି। ଦେଶରେ ହିଂସା ଏବଂ ଅସ୍ଥିରତା ମଧ୍ୟରେ ଏହି ନିର୍ବାଚନ କିଭଳି ହେବ, ତାକୁ ନେଇ ବିଶ୍ୱ ସମୁଦାୟର ନଜର ରହିଛି। ହସିନାଙ୍କ ଦାବି ଅନୁଯାୟୀ, ଦେଶର ସମ୍ବଳକୁ ବିଦେଶୀ ଶକ୍ତିଙ୍କୁ ବିକ୍ରି କରିବା ପାଇଁ ଏକ ବଡ଼ ଧରଣର ଯୋଜନା ଚାଲିଛି।
ଶେଖ ହସିନାଙ୍କ ଏହି ଆକ୍ରମଣାତ୍ମକ ରୂପ ବାଂଲାଦେଶ ରାଜନୀତିରେ କେଉଁ ମୋଡ଼ ନେଉଛି, ତାହା ତ ଆଗାମୀ ଦିନରେ ଜଣା ପଡ଼ିବ ।
Comments are closed.