ଢାକା: ୧୯୭୧ ମସିହାରେ ପୂର୍ବ ପାକିସ୍ତାନରୁ ପାକିସ୍ତାନୀ ସେନାକୁ ଭାରତୀୟ ସେନା ତଡିଥିଲା ଏବେ ୫୩ ବର୍ଷ ପରେ ପୁଣି ତାର ପୁନରାବର୍ତ୍ତୀ ହେବାକୁ ଯାଉଛି । ଅର୍ଥାତ୍ ବାଂଲାଦେଶକୁ ପୁଣି ଫେରିବା ଆରମ୍ଭ କରିଛି ପାକିସ୍ତାନୀ ସେନା । ପାକିସ୍ତାନୀ ସେନାର ଜେନେରାଲ ସାହେବ ଖୁବ୍ ଶୀଘ୍ର ତାଙ୍କ ପୁରା ଟିମ୍ ସହିତ ବାଂଲାଦେଶ ଗସ୍ତ କରିପାରନ୍ତି ।
ଗୁଇନ୍ଦା ବିଭାଗ ଗୁଡିକର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଯୁଗ୍ମ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ମୁଖ୍ୟ ଜେନେରାଲ ସାହିର ଶମଶାଦ ମିର୍ଜା ବାଂଲାଦେଶକୁ ଏକ ପ୍ରସ୍ତାବ ପଠାଇଥିଲେ। ଏହି ପ୍ରସ୍ତାବରେ ସେ ନିଜେ ବାଂଲାଦେଶ ଆର୍ମି ଟ୍ରେନିଂ ଇନଷ୍ଟିଚ୍ୟୁଟ, ଇନଫେଣ୍ଟରି ଆଣ୍ଡ ଷ୍ଟ୍ରାଟେଜିକ ସ୍କୁଲ, ଡିଫେନ୍ସ ସର୍ଭିସ କମାଣ୍ଡ ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଜେନେରାଲ ମିର୍ଜା ବାଂଲାଦେଶ ସେନାର ଷ୍ଟାଫ୍ କଲେଜରେ ଥିବା ଯୁବ ଅଧିକାରୀମାନଙ୍କୁ ଅତିଥି ବକ୍ତା ଭାବରେ ସମ୍ବୋଧିତ କରିବାକୁ ଚାହୁଁଛନ୍ତି ।
ଗୁପ୍ତଚର ରିପୋର୍ଟ ଅନୁଯାୟୀ ବାଂଲାଦେଶ ଏହି ପ୍ରସ୍ତାବକୁ ଗ୍ରହଣ କରିଛି । ଏହି ଯାତ୍ରା ସହ ଜଡିତ ଏକ ପର୍ଯ୍ୟାୟ ଆଲୋଚନା ମଧ୍ୟ ହୋଇଛି । ତେବେ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରାଯାଇ ନାହିଁ । ଏବେ ବଙ୍ଗୋପସାଗରରେ ପାକିସ୍ତାନୀ ନୌସେନା ସହ ମିଳିତ ଅଭ୍ୟାସ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ରହିଛି ।
ତେବେ ଶେଖ ହସିନାଙ୍କ ବିଦାୟ ଓ ୟୁନୁସଙ୍କ ଆଗମନ ପରେ ବାଂଲାଦେଶ ପୁଣି ଥରେ ପାକିସ୍ତାନର ନିକଟତର ହେବାକୁ ଲାଗିଛି । ଯାହା ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ।