ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟରେ ଆଖି ଦେଖାଇଛି ବାଂଲାଦେଶ । ପଡୋଶୀ ଦେଶର ୟୁନୁସ ସରକାରଙ୍କ ଘନିଷ୍ଠ ତଥା ପୂର୍ବତନ ସେନା ଅଧିକାରୀ ଏଏଲଏମ ଫଜଲୁର ରହମାନ ଭାରତକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଭାରତ ପାକିସ୍ତାନ ଉପରେ ଆକ୍ରମଣ କଲେ ଚୀନ୍ ସହାୟତାରେ ବାଂଲାଦେଶ ଭାରତର ଉତ୍ତର-ପୂର୍ବ ରାଜ୍ୟ କବଜା କରିବାକୁ ସେ କହିଛନ୍ତି । ଫଜଲୁର ରହମାନ ବାଂଲାଦେଶ ସେନାର ପୂର୍ବତନ ସେନା ଅଧିକାରୀ। ସେ ୨୦୦୧ରେ ଭାରତ ସହ ସୀମାରେ ସଂଘର୍ଷ ବେଳେ ବାଂଲାଦେଶ ରାଇଫଲ୍ସର ନେତୃତ୍ବ ନେଇଥିଲେ । ସେ ୨୦୦୯ ବାଂଲାଦେଶ ରାଇଫଲ୍ସ ହତ୍ୟାକାଣ୍ଡର ଯାଞ୍ଚ କରୁଥିବା ରାଷ୍ଟ୍ରୀୟ ସ୍ବତନ୍ତ୍ର ଯାଞ୍ଚ ଆୟୋଗର ଅଧ୍ୟକ୍ଷ ଅଛନ୍ତି । ହତ୍ୟାକାଣ୍ଡ ପଛରେ କୌଣସି ବିଦେଶୀ ଷଡ଼ଯନ୍ତ୍ରର ହାତ ରହିଛି କି ନାହିଁ, ସେନେଇ ତଦନ୍ତ କରୁଥିବା ପୂର୍ବରୁ ରେହମାନ କହିଥିବା ବେଳେ ସେ ଭାରତର ସଂପୃକ୍ତି ନେଇ ଇଙ୍ଗିତ କରୁଥିବା ଚର୍ଚ୍ଚା ହୋଇଥିଲା ।
ଭାରତ ବିରୋଧରେ ବିଷ ଓଗାରିଲେ
ଭାରତ ବିରୋଧରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଫଜଲୁର ରେହମାନ । ପାକିସ୍ତାନ ଉପରେ ଭାରତ ହମଲା କଲେ ଏହାର ପୂର୍ବୋତ୍ତର ୭ ରାଜ୍ୟକୁ ବାଂଲାଦେଶ କବଜା କରିବା ଉଚିତ୍ ବୋଲି ସେ କହିଛନ୍ତି । ଏପରିକି ଏନେଇ ଚୀନ୍ ସହ ମିଳିତ ସାମରିକ ପ୍ରଣାଳୀ ନେଇ ଆଲୋଚନା କରିବା ଆବଶ୍ୟକ ବୋଲି ସେ ପୋଷ୍ଟରେ ଲେଖିଛନ୍ତି । ଏପ୍ରିଲ ୨୨ତାରିଖରେ ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ଚରମରେ ରହିଥିବା ବେଳେ ବାଂଲାଦେଶ ପକ୍ଷରୁ ଏଭଳି ବୟାନ ଆସିଛି । ଭାରତ ବିରୋଧରେ ବିଷ ଓଗାରିଛନ୍ତି ବାଂଲାଦେଶର ପୂର୍ବତନ ସେନା ଅଧିକାରୀ ।
ପୁଣି ପୂର୍ବୋତ୍ତର ରାଜ୍ୟକୁ ଟାର୍ଗେଟ୍
ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରଠୁ ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ସଂପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଏଭଳି ସ୍ଥିତିରେ ରେହମାନଙ୍କ ପୋଷ୍ଟ ନିଆଁରେ ଘିଅ ଢାଳିବା ପରି ହୋଇଛି । ପୂର୍ବରୁ ମଧ୍ୟ ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଭାରତର ୭ ପୂର୍ବୋତ୍ତର ରାଜ୍ୟକୁ ନେଇ ଟିପ୍ପଣୀ ଦେଇଥିଲେ । ସେତେବେଳେ ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏବେ ରେହମାନ ପୁଣି ଭାରତର ପୂର୍ବୋତ୍ତର ରାଜ୍ୟଙ୍କୁ ନେଇ ଟିପ୍ପଣୀ କରିଛନ୍ତି । ବାଂଲାଦେଶ ସରକାର ରେହମାନଙ୍କ ବୟାନକୁ ବ୍ୟକ୍ତିଗତ କହିବା ସହ ନିଜକୁ ଏଥିରୁ ଦୂରେଇ ରଖିଛନ୍ତି ।
ବାଂଲାଦେଶ କରୁଛି ବଡ଼ ପ୍ଲାନ୍ !
ବାଂଲାଦେଶ ସରକାର ରେହମାନଙ୍କ ଟିପ୍ପଣୀଠାରୁ ନିଜକୁ ଯେତେ ଦୂରେଇଲେ ବି ଏହାର ଟାଇମିଂକୁ ନେଇ ପ୍ରଶ୍ନ ଉଠୁଛି । ଶେଖ ହାସିନା କ୍ଷମତାରୁ ହଟିବା ପରଠୁ ପାକିସ୍ତାନର ନିକଟତର ହୋଇଛି ବାଂଲାଦେଶ । ପ୍ରାୟ ୧୫ବର୍ଷ ପରେ ଢାକାରେ ଦୁଇ ଦେଶ ମଧ୍ୟରେ ବିଦେଶ ସଚିବସ୍ତରୀୟ ଆଲୋଚନା ହୋଇଛି । କିଛି ଦିନ ତଳେ ବେଜିଂ ଗସ୍ତ ବେଳେ ଭାରତ ପୂର୍ବୋତ୍ତର ରାଜ୍ୟ ସ୍ଥଳଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ । ସେସବୁ ରାଜ୍ୟ ପାଖରେ ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିବାକୁ କୌଣସି ରାସ୍ତା ନାହିଁ। ତେଣୁ ପୂରା କ୍ଷେତ୍ରରେ ଥିବା ସମୁଦ୍ରର ଏକମାତ୍ର ଅଭିଭାବକ ବାଂଲାଦେଶ ବୋଲି ୟୁନୁସ କହିଥିଲେ । ଏହାପରେ ରେହମାନ ଭାରତର ପୂର୍ବୋତ୍ତର ରାଜ୍ୟ ନେଇ ଟିପ୍ପଣୀ ଦେବା ଅନେକ କିଛି ସୂଚାଉଛି ।
Comments are closed.