Latest Odisha News

BREAKING NEWS

କାହିଁକି ତୁଳସୀଙ୍କ ଉପରେ ବାଂଲାଦେଶର କ୍ଷୋଭ?

ନୂଆଦିଲ୍ଲୀ: ଏବେ ଭାରତ ଗସ୍ତରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତଥା ଭାରତୀୟ ବଂଶୋଦ୍ଭବ ତୁଳସୀ ଗାବାର୍ଡ । ୩ ଦିନିଆ ଭାରତ ଗସ୍ତରେ ରହିଥିବା ତୁଳସୀଙ୍କୁ ଭାରତରେ ଭବ୍ୟ ସ୍ବାଗତ ମିଳିଥିଲା । ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିଥିଲେ ତୁଳସୀ । ହେଲେ ଏବେ ଭାରତରେ ପ୍ରଶଂସିତ ହେଉଥିବା ତୁଳସୀଙ୍କ ଉପରେ ଏବେ କ୍ଷୋଭ ପ୍ରକାଶ କରିଛି ବାଂଲାଦେଶ । ତୁଳସୀଙ୍କ କିଛି ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବାଂଲାଦେଶ ଅନ୍ତରୀଣ ସରକାର । ହେଲେ କାହିଁକି? ଏମିତି କ’ଣ କହିଦେଲେ ତୁଳସୀ?..

ତେବେ ତୁଳସୀ ଗବାର୍ଡ ରବିବାର ଦିନ ତିନି ଦିନିଆ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତିନି ଦିନିଆ ଭାରତ ଗସ୍ତରେ ଥିବା ତୁଳସୀ,ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ମନ୍ତବ୍ୟ ରଖିଥିଲେ । ଯାହା ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଭାରି ବାଧିଛି । ଯାହାକୁ ନେଇ ତୁଳସୀ ଗାବାର୍ଡଙ୍କ ମନ୍ତବ୍ୟ କୌଣସି ପ୍ରମାଣ ଉପରେ ଆଧାରିତ ନୁହେଁ ବୋଲି କହିଛନ୍ତି ୟୁନୁସ୍ ସରକାର ।

ତେବେ ସାକ୍ଷାତକାରରେ ତୁଳସୀ, ବାଂଲାଦେଶ ଉପରେ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା ଏବଂ ହତ୍ୟାର ଅଭିଯୋଗ ଆଣିଥିଲେ । ସେ କହିଥିଲେ, ଏହା ଚିନ୍ତାର ବିଷୟ ହୋଇ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିଛନ୍ତି ।

ଯାହାକୁ ନେଇ କ୍ଷୋଭ ପ୍ରକାଶ କରି ବାଂଲାଦେଶ କହିଛି, ଗାବାର୍ଡଙ୍କ ମନ୍ତବ୍ୟ ସମଗ୍ର ଦେଶକୁ ଏକ ବ୍ୟାପକ ଏବଂ ଅନୁଚିତ ଭାବେ ଚିତ୍ରିତ କରୁଛି । ଏକ ଦେଶ ଯାହାର ପାରମ୍ପରିକ ଇସଲାମିକ ଅଭ୍ୟାସ ପ୍ରସିଦ୍ଧ ଭାବରେ ଅନ୍ତର୍ଭୁକ୍ତିମୂଳକ ଏବଂ ଶାନ୍ତିପୂର୍ଣ୍ଣ, ଏବଂ ଯାହା ଉଗ୍ରବାଦ ଏବଂ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି, ତାହା ବିରୁଦ୍ଧରେ ଗାବାର୍ଡଙ୍କ ବକ୍ତବ୍ୟ ଭ୍ରାମକ ଏବଂ ବାଂଲାଦେଶର ପ୍ରତିଛବି ଏବଂ ପ୍ରତିଷ୍ଠା ପାଇଁ କ୍ଷତିକାରକ ।

ବାଂଲାଦେଶ ଆହୁରି କହିଛି, ଏହି ନେତାମାନେ ସବୁ କିଛି ଜାଣି ତା ଉପରେ କହିବା ଉଚିତ୍, ବିଶେଷକରି ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗରେ । ଏଭଳି କଥା କହି, ଭୟ ସୃଷ୍ଟି କରିବା ଏବଂ ସାମ୍ପ୍ରଦାୟିକ ଉତ୍ତେଜନାକୁ ଆହୁରି ଉତ୍ସାହିତ କରିବାରୁ ସେମାନେ ନିବୃତ୍ତ ରହିବା ଉଚିତ ।

Comments are closed.