ବାଣୀବିହାରରେ ବର୍ଷା
ଶତ୍ରୁଜିତ୍
ସେ ଯେଉଁ ଯୁଗଳ ସେଠି ଭିଜୁଛନ୍ତି ଝର ଝର ବର୍ଷାର ଜଳରେ
ସେ ଯେଉଁ ଯୁଗଳ ସେଠି ଛପିଛନ୍ତି ରଙ୍ଗୀନ ସେ ଛତାର ତଳରେ
ସେ କିବା ପାଗଳ ସେଠି ସନ୍ତର୍ପଣେ ଭସାଉଛି କାଗଜର ଡଙ୍ଗା
ସେମାନେ କି ଜାଣିଛନ୍ତିି ଏ ମାଟିରେ ବର୍ଷା ମଧ୍ୟ ପାଲଟଇ ଗଙ୍ଗା ।
ଏ ଏମିତି ସ୍ଥାନ ଯହିଁ ବର୍ଷସାରା ଫୁଟୁଥାଏ ପ୍ରୀତିର କଦମ୍ବ
ଏ ଏମିତି ସ୍ଥାନ ଯହିଁ ବର୍ଷା ବି ଲାଜେଇ ଯାଏ ଦେଖି ପ୍ରତିବିମ୍ବ
ଏମିତି ଏ ସ୍ଥାନ ଯହିଁ ବର୍ଷା କରେ ଈର୍ଷା, ଦେଖି ମାଟିର ସ୍ପନ୍ଦନ
ଏମିତି ଏ ସ୍ଥାନ ଯହିଁ ଭିଜା ମାଟି ବି ବାସେ ଚନ୍ଦନ ଚନ୍ଦନ ।
ଏମିତି କେ ଜାଗା ଅଛି ବର୍ଷାଦିନେ ୟା’ଠାରୁ ସୁନ୍ଦର ଲାଗଇ
ଏମିତି କା’ ମନ ଅଛି ବର୍ଷାଦିନେ ଯିଏ ଆନମନା ନ ହୁଅଇ
ମୁଁ ତ ଜାଣେ ଘୋର ବର୍ଷାକାଳେ ଯିଏ ଆମ ଏଇ କ୍ୟାମ୍ପସରେ ଥାଏ
‘ଚିରକାଳ ଏଇମିତି ବର୍ଷା ଝରୁଥାଉ’- ତା’ର ମନ ଚାହୁଁଥାଏ ।
ଝିପି ଝିପି ବର୍ଷାର ଟୋପାରେ ଯେବେ ଭିଜୁଥାଏ ଆମ ଏ କ୍ୟାମ୍ପସ
ବେସୁରା ରାଗିଣୀରେ ଗାଉଥାନ୍ତି ବିରହରେ ଜଳୁଥିବା ସବୁ ଦେବଦାସ୍ ।
Comments are closed.