Latest Odisha News

BREAKING NEWS

ବ୍ୟାଙ୍କ ୟୁନିୟନର ବଡ଼ ଘୋଷଣା: ସେପ୍ଟେମ୍ବର ଏବଂ ଅକ୍ଟୋବରରେ ବ୍ୟାପକ ଧର୍ମଘଟ, ଆଗୁଆ ସାରିଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ଖବର । ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଦେଶବ୍ୟାପୀ ବ୍ୟାଙ୍କ ସେବା ବ୍ୟାପକ ଭାବେ ପ୍ରଭାବିତ ହେବାକୁ ଯାଉଛି । ବ୍ୟାଙ୍କ କର୍ମଚାରୀଙ୍କ ସପ୍ତାହକୁ ୫ ଦିନିଆ କାର୍ଯ୍ୟ ଦିବସ ଏବଂ ନୂତନ ପର୍ଫରମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ସ୍କିମ୍‌କୁ ବିରୋଧ କରି ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ’ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟର ଡାକରା ଦିଆଯାଇଛି । ନିଜର ଆର୍ଥିକ ନେଣଦେଣକୁ ନେଇ ସାଧାରଣ ଲୋକେ ଏବେଠାରୁ ପ୍ରସ୍ତୁତ ନହେଲେ ଆଗକୁ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ୟୁଏଫ୍‌ବିୟୁ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ସର୍ବଭାରତୀୟ ସ୍ତରରେ ଦିନିକିଆ ଧର୍ମଘଟ ପାଳନ କରାଯିବ । ଏହା ପରେ ସେପ୍ଟେମ୍ବର ୨୮, ୨୯ ଏବଂ ୩୦ ତାରିଖ, ଏହିପରି ଲଗାତାର ତିନି ଦିନ ଧରି ଦେଶର ସମସ୍ତ ସରକାରୀ ତଥା କେତେକ ଘରୋଇ ବ୍ୟାଙ୍କର ଶାଖାଗୁଡ଼ିକ ବନ୍ଦ ରହିବ । ଯଦି ଏହା ପରେ ବି କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରନ୍ତି, ତେବେ ଅକ୍ଟୋବର ୨୬ ତାରିଖରୁ ବ୍ୟାଙ୍କ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ୟୁନିୟନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।

ଏହି ଧର୍ମଘଟ ଯୋଗୁଁ ସିଧାସଳଖ ଗ୍ରାହକ ସେବା ଉପରେ ପ୍ରଭାବ ପଡ଼ିବ। ବ୍ୟାଙ୍କର କ୍ୟାସ୍ କାଉଣ୍ଟର, ଚେକ୍ କ୍ଲିଅରାନ୍ସ, ଲକର ଆକ୍ସେସ୍ ଏବଂ ନୂତନ ଋଣ ମଞ୍ଜୁରୀ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ସମ୍ପୂର୍ଣ୍ଣ ଠପ୍ ହୋଇଯିବ । ତେଣୁ ନିଜର ଋଣର ଇଏମ୍ଆଇ , ନଗଦ ଉଠାଣ ଏବଂ ଚେକ୍ ଦେଣନେଣ କାମ ଆଗୁଆ ସାରିଦେବାକୁ ଅର୍ଥନୈତିକ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେବେ ଗ୍ରାହକଙ୍କ ସୁବିଧା ପାଇଁ ଏଟିଏମ୍ ସେବା, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଆଇ ନେଣଦେଣ ସ୍ୱାଭାବିକ ରହିବ । NACH ଜରିଆରେ କଟୁଥିବା ଅଟୋ-ଡେବିଟ୍ EMI ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ, ମାତ୍ର ଯଦି ଆପଣ ମାନୁଆଲ୍ କିମ୍ବା ଚେକ୍ ମାଧ୍ୟମରେ କିସ୍ତି ପୈଠ କରୁଛନ୍ତି, ତେବେ ଷ୍ଟ୍ରାଇକ୍ ପୂର୍ବରୁ ତାହା ଜମା କରିଦିଅନ୍ତୁ । ବିଳମ୍ବ ହେଲେ ବାଉନ୍ସ ପେନାଲ୍ଟି ସ୍ୱରୂପ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବାକୁ ପଡ଼ିପାରେ ।

ପ୍ରକାଶ ଥାଉ କି, ବ୍ୟାଙ୍କ କର୍ମଚାରୀମାନେ ଦୀର୍ଘ ଦିନ ଧରି ସପ୍ତାହକୁ ୫ ଦିନିଆ କାର୍ଯ୍ୟ ଦିବସ ଦାବି କରିଆସୁଛନ୍ତି । ଗତ ୨୦୨୪ ମାର୍ଚ୍ଚ ମାସରେ ଦ୍ୱାଦଶ ଦ୍ୱିପାକ୍ଷିକ ଚୁକ୍ତି ସମୟରେ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ ଏହି ଦାବିରେ ସହମତି ପ୍ରକାଶ କରିଥିଲେ ସୁଦ୍ଧା ଅଦ୍ୟାବଧି ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି । ଅନ୍ୟପକ୍ଷରେ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ ଦ୍ୱାରା ନିକଟରେ ଲାଗୁ ହୋଇଥିବା ନୂଆ PLI ସ୍କିମ୍‌କୁ ୟୁନିୟନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ବିନା ଆଲୋଚନାରେ ଏକତରଫା ଏବଂ ପାତରଅନ୍ତର ଭାବେ ଲାଗୁ ହୋଇଥିବା ଏହି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.