Latest Odisha News

BREAKING NEWS

ଚଳିତ ମାସ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଚଳିତ ମାସ ଏପ୍ରିଲରେ ବିଭିନ୍ନ କାରଣ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯେଉଁମାନେ ବ୍ୟାଙ୍କକୁ ଯାଇ ନଗଦ ଜମା, ଚେକ୍ ଜମା, ଡ୍ରାଫ୍ଟ ତିଆରି, କେୱାଇସି ଅପଡେଟ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ମୋବାଇଲ ନମ୍ବର ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ବ୍ୟାଙ୍କ ଛୁଟିର ସୂଚନା ଜାଣିବା ଜରୁରୀ। ଏହି କାମଗୁଡ଼ିକ ଅନଲାଇନ ବ୍ୟାଙ୍କିଙ୍ଗ ଜରିଆରେ ସମ୍ଭବ ନୁହେଁ। ତେବେ ଟଙ୍କା ଉଠାଣ ପାଇଁ ଏଟିଏମ ଓ ଲେଣଦେଣ ପାଇଁ ୟୁପିଆଇର ସାହାଯ୍ୟ ନିଆଯାଇପାରେ।

ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ ଅଛି, ତେବେ ଏହାକୁ ଆଜି ଶେଷ କରି ଦିଅନ୍ତୁ କିମ୍ବା ଏପ୍ରିଲ ୧୫, ମଙ୍ଗଳବାର ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। କାରଣ ଏପ୍ରିଲ ୧୨, ୧୩ ଓ ୧୪ ତାରିଖରେ ଲଗାତାର ତିନି ଦିନ ବ୍ୟାଙ୍କ ବନ୍ଦ ରହିବ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ନିୟମ ଅନୁଯାୟୀ, ପ୍ରତି ମାସର ଦ୍ୱିତୀୟ ଶନିବାର, ଚତୁର୍ଥ ଶନିବାର ଏବଂ ରବିବାର ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ। ଏପ୍ରିଲ ୧୨ ଶନିବାର ହେଉଛି ମାସର ଦ୍ୱିତୀୟ ଶନିବାର। ଏହି ଦିନ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

ଏହାପରେ, ଏପ୍ରିଲ ୧୩ ରବିବାର ହୋଇଥିବାରୁ ଏହା ସାପ୍ତାହିକ ଛୁଟି ଦିବସ। ଏହି ଦିନ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ସାଧାରଣତଃ ସୋମବାର ବ୍ୟାଙ୍କ ଖୋଲା ଥାଏ, କିନ୍ତୁ ଏଥର ଏପ୍ରିଲ ୧୪, ସୋମବାର ମଧ୍ୟ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଏପ୍ରିଲ ୧୪ ହେଉଛି ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମଦିବସ, ଯାହାକୁ ଆମ୍ବେଦକର ଜୟନ୍ତୀ ବା ଭୀମ ଜୟନ୍ତୀ ଭାବେ ପାଳନ କରାଯାଏ। ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ନାମରେ ମଧ୍ୟ ଜଣାଶୁଣା ଏହି ଦିବସଟି ସମାନତା ଦିବସ ଓ ଜ୍ଞାନ ଦିବସ ଭାବେ ମନାଯାଏ। ଜୀବନସାରା ସମାନତା ପାଇଁ ସଂଘର୍ଷ କରିଥିବା ଆମ୍ବେଦକରଙ୍କୁ ସ୍ମରଣ କରି ଏହି ଦିନ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

Comments are closed.