Latest Odisha News

BREAKING NEWS

ବାପାଙ୍କ ଚିଠି

ବାପାଙ୍କ ଚିଠି

ରଶ୍ମିରଂଜନ ସାହୁ

ଗପ ବୋଲି ସେମିତି କିଛି ନଥାଏ । ପ୍ରତିଟି ଗପ ପ୍ରତିଥର ଜନ୍ମ ନିଏ ସେ ନିଜେ ଗପ ହବ ବୋଲି ଜାଣିନଥିବା ସତ୍ୱେ । କଥାଟା ଏଇଭଳି ହୁଏ ଯେ ଗପଟେ ଜନ୍ମ ହୁଏ; ଆଗରୁ ନଥାଏ, ଯାହା ଥାଏ ତାହା ସେମିତି ସେ ସମୟରେ ଜନ୍ମ ହେଇଥିବା କଥା ଟେ ଯାହା ଗପ ହୁଏ ସମୟ କ୍ରମରେ ଲୋକ ମୁଖରେ ଗପ ହେଇକି ରହେ ଛାତି ଭିତରେ । ଗପ କେବେ ଆଗରୁ ନଥାଏ ଗପ ସବୁବେଳେ ନିଜକୁ ଗଢୁଥାଏ ।

ଏଇ ଯେମିତି ମୁଁ ୨୦୦୭ ରେ ଘର ଛାଡି ଆସିଲା ବେଳକୁ ବି ଆମ ଘରେ ସିଲିଂ ଫ୍ୟାନ ନଥିଲା । ଆମେ ଯୋଉଠି ରହୁଥିଲୁ ସେଠି ସେତେବେଳକୁ ଆମେ ୧୩ବର୍ଷ ରହି ସାରିଥିଲୁ । ୧୩ ବର୍ଷ ଭିତରେ ବହୁତ କିଛି ବଦଳିସାରିଥିଲା । ହେଲେ ବଦଳି ନଥିଲା ଆମ ସଲୋରା ଟିଭି ବାପାଙ୍କ ଓଜନିଆ ବଜାଜ ଇସ୍ତ୍ରୀ, ଏଚ.ଏମ.ଟି କାଞ୍ଚନ ହାତ ଘଣ୍ଟା ଆଉ ପୋଲାର ଷ୍ଟାଣ୍ଡ ଫ୍ୟାନ । ସେଇ ଫ୍ୟାନ ଟାକୁ ବାପା ସବୁ ବର୍ଷ ଥରେ ଖୋଲାଖୋଲି କରି କିରାସିନି ରେ ପୋଛି ପୁଣି ନୂଆ କରିଦିଅନ୍ତି । ଯଦିଓ ପୁରୁଣା ହବା ଯୋଗୁ ଧୀରେ ଧୀରେ ତା ପବନ ଦବା ଶକ୍ତି କମିଯିବାସହ ତା ସହ ତାଳ ଦେଇ ଘରଘର ଶବ୍ଦଟି ବଢିଯାଇଥିଲା ।। ଏ ଯେତେ ଜିନିଷ କହିଲି କେବଳ ଟିଭିକୁ ଛାଡି ବାକି ସମସ୍ତଙ୍କ ବୟସ ମୋ ବୟସଠୁ ଅଧିକା।

ଟିଭିର ବୟସ ମୋଠୁ ୯ ବର୍ଷ ସାନ ମାନେ ଖରା ଛୁଟି ରେ ଆମେ ଥାଉ ମାମୁଁ ଘରେ । ମାମୁଁ ଘର କଣ୍ଟାରୋହି । ଅଜା କୀର୍ତ୍ତନ ବିହାରୀ ସାହୁ ତାଙ୍କ ବାପା ବଳଭଦ୍ର ସାହୁ । ସେ ୫ ୭ ଖଣ୍ଡ ଗାଁର ମହାଜନ ଘର । ୧୦୦ ୧୫୦ ବର୍ଷ ପୁରୁଣା କୋଠା ଘର ଉଞ୍ଚା ପିଣ୍ଡା ଲମ୍ବା ବାରଣ୍ଡା ପିତଳ କାମ କରା କବାଟ ସାମ୍ନା କୁ ବଡ ଖଳାରେ ଗଛ ଉଞ୍ଚା କୁଟା ଗଦା । ସେ କୁଟାଗଦା କଡରେ କଇଁଆ ଗଛ । କୁଟା ଗଦାକୁ କେମିତି କଷ୍ଟେମଷ୍ଟେ ଚଢ଼ିଗଲେ ଗଛରେ ବସି ଆରାମରେ କଇଁଆ ଖାଇହୁଏ । ଅରୁଗୁଳି ଖୋଲି ମାମୁଁ ଘରେ ପଶୁପଶୁ ଖଳାଟା ଯାକ ଆଗ ଦୌଡ଼ି ଆସିଆସିଲେ ଯାଇ ଭଲ ଲାଗେ । ତାପରେ ବାରଣ୍ଡାକୁ ଚଢ଼ି କବାଟ ଖୋଲି ପଶିଲେ ବାଁ ପଟକୁ ଠାକୁର ଘର ଡାହାଣ ପଟକୁ ଅଜା ଙ୍କ ଶୋଇବା ଘର; ଯୋଉଠି ମୁଁ ବି ଶୁଏ। ଦୁଆରଘରେ ସବୁବେଳେ ଠାକୁରାଣୀ ପରି ବସିଥାନ୍ତି ଠାକୁର ଆଇ ମାନେ ଅଜା ଙ୍କ ମା । ମୁଁ ଷଷ୍ଠ ଶ୍ରେଣୀ ପଢିଲା ବେଳକୁ ୧୦୨ ବର୍ଷରେ ଦେହାନ୍ତ ହେଇଥିଲା ତାଙ୍କର । ହେଲେ ଏ ଟିଭି କଥାଟା ତାଠୁ ପୁରୁଣା ।

ଚତୁର୍ଥ ଶ୍ରେଣୀ ପରୀକ୍ଷା ସାରି ଖରା ଛୁଟିରେ ମାମୁଁ ଘରେ ଥିଲା ବେଳେ ବାପା ଚିଠି ଦେଇଥିଲେ । ଚିଠିରେ କଣ ଲେଖା ହେଇଥିଲା ମୋର କିଛି ମନେ ନାଇଁ ଖାଲି ଏତିକି ମନେ ଅଛି ଯେ ଲେଖା ହେଇଥିଲା “ନୂଆ ଟିଭି ଆସିଛି, କିଏ ଦେଖିବ ଜଲଦି ପଳେଇଆସ” ।। ସେଇ ଧାଡିଟା ସାରା ଜୀବନ ଭୁଲି ପାରିନି ମୁଁ । ବେଳେବେଳେ ବାପାଙ୍କ ସହ ଅନେକ ମନୋମାଳିନ୍ୟ ହେଇଚି ବଡ ହେଲାପରେ । ଛୁଆ ବେଳେ ବାପା ପିଟିଛନ୍ତି ଅନେକ । ଖାଲି ମୁଁ କାଇଁକି ମୁଁ ଦେଖିଚି ଯେବେ ବି ଗାଁକୁ ଯାଇଛି ଆମ ସାହିଟା ଯାକ ଛୁଆ ପିଲା ବୁଢା ବୁଢ଼ୀ କେବଳ ବଡ ବାପାଙ୍କୁ ଛାଡି ସମସ୍ତେ ବାପାଙ୍କୁ ଦେଖିଲେ ଚୁପ । ବାପା କାଳେ ବହୁତ ରାଗି । ହଁ ସେ ବି ସେମିତି । ଟିକେ କଣ ହେଳା କଲା ମାନେ ଏମିତି ପିଟିବେ ଯେ ସେ ମାଡ ମୋର ଜୀବନ ଯାକ ମନେ ରହିଗଲା ଆଉ ବାପାଙ୍କ ପ୍ରତି ଗୋଟେ ବିଦ୍ୱେଷ ବି ତିଆରି କଲା । ଅବଶ୍ୟ ବାପା ପ୍ରତିଦିନ, ମାନେ ମୁଁ ନବମ ପଢିବା ଯାଏଁ ମୋତେ ସବୁଦିନ ଖୋଇଦେଇ ନେଇ ସ୍କୁଲରେ ଛାଡ଼ୁଥିଲେ । ବେଶି ଯୋଉଦିନ ରାଗୁଥିଲେ କି ପିଟୁଥିଲେ ସକାଳେ ସେଦିନ ଉପର ଓଳି ଅଫିସରୁ ଆସିଲେ ସାଇକଲରେ ବସେଇ ବୁଲଉଥିଲେ, ଗୁପଚୁପ ଖୁଆଉଥିଲେ। ଟଙ୍କାରେ ଦଶଟା ଗୁପଚୁପ ମିଳୁଥିଲା ସେତେବେଳେ। ଆଉ ସେଇ ଧାଡିକ ଯେବେ ବି ମନେ ପଡେ ”ନୂଆ ଟିଭି ଆସିଛି କିଏ ଦେଖିବ ଜଲଦି ପଳେଇ ଆସ ” ମୋର ସବୁ ରାଗକୁ ମିଳେଇଦିଏ । ଲାଗେ ମୋ ବାପା ହିଁ ପୃଥିବୀର ସବୁଠୁ ସ୍ନେହୀ ମଣିଷ ।

ହେଲେ ତାଙ୍କ ରାଗ ବି ବଡ ଅଜବ । ଯେମିତିକି ସେ କୋର୍ଟକୁ ବାହାରିବା ବେଳେ ଗୋଟେ ଘରେ ଚାବି ପକେଇଦେଇ ଯିବେ ଯେ ଆସିବେ ଯାଇ 5ଟା ପରେ। ସେତେବେଳ ଯାଏଁ ଭୋକରେ ଥା। ଧୁ ଧୁ ଖରାବେଳେ ବାଲି ଉପରେ ଠିଆ କରିଦେବେ, କହିବେ ଗୋଡ ଉଠେଇବୁନି ଉଠେଇଲେ ପିଟିବି । ବାଲି ବି ଗରମ, ମାଡ ବି ଗରମ, ମଝିରେ ମୁଁ । ସଂଜ ବେଳେ ଢୋଳେଇଲା ମାନେ ବାଜିବ ମାଡ଼ । ଏମିତିକି ସେତେବେଳେ ଦାନ୍ତ ଘଷିବା ପାଇଁ ଗୋଟେ ବିଡା ଶାଳକାଠି ଆଉ ମାଡ଼ ମାରିବାକୁ ଆଉ ଗୋଟେ ବିଡା ବି ଆସୁଥିଲା ଘରକୁ ।

ସାରା ଜୀବନ କେବେ ବି ବୁଝିପାରିଲିନି ବାପାଙ୍କୁ । ତାଙ୍କ ବାପା, ମାନେ ମୋ ଜେଜେବାପାଙ୍କୁ ସେ ଦେଖି ନାହାନ୍ତି । ସେ ବର୍ଷକର ହେଇଥିଲା ବେଳେ ଜେଜେ ଚାଲିଯାଇଥିଲେ । ତେଣୁ ସେ ମୋତେ ବାପା ବୋଲି ଡାକନ୍ତି । ହେଲେ ଆଉ ଡାକୁ ନାହାନ୍ତି। କାଇଁକି ଜାଣିନି । ହୁଏତ ମୁଁ ବଡ ହେଇଗଲିଣି ବୋଲି । କି ମୁଁ ବି ତାଙ୍କ ପରି ରୁକ୍ଷ ହେଇଗଲି ଆଉ ବାପା ମାନେ ଏତେ ରୁକ୍ଷ ହବା ଠିକ ଲାଗିଲାନି ତାଙ୍କୁ ।

ଏବେ ବାପା ଆଉ ଆଗ ଭଳି ନୁହଁ । ଏବେ ସେ ବହୁତ ସହଜ ଆଉ ନିରବ।

Comments are closed.