କଟକ: ବାରବାଟୀ ମ୍ୟାଚ୍ ପାଇଁ ଅଫ୍ଲାଇନ୍ ଟିକେଟ୍ ବିକ୍ରି । କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବ । ଅନଲାଇନ୍ରେ ଟିକଟ କିଣି ପାରିନଥିବା କ୍ରିକେଟ୍ ପ୍ରେମୀ ଅଫ୍ଲାଇନ୍ରେ କିଣିବାକୁ ଆଶା ବାନ୍ଧିଛନ୍ତି । ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍ କାଉଣ୍ଟର କରାଯାଇଛି। ଭିଡ଼ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବୁଧବାର ସକାଳ ୯ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ଏହାର ଗୋଟିଏ ଘଣ୍ଟା ପୂର୍ଵରୁ ଅର୍ଥାତ ସକାଳ ୮ ଟା ବେଳେ ହିଁ ଧାଡି ବାନ୍ଧିବା ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ । ସ୍ପେସାଲ ଏନ୍କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ଭଳି ଟିକେଟକୁ ଘୋଡ଼ା ଗେଟ୍ କାଉଣ୍ଟରରେ ବିକ୍ରି ହେବ । ସେହିଭଳି କିଲ୍ଖାନା ଲେନ୍ରେ ଅନ୍ୟ ସମସ୍ତ ଗ୍ୟାଲେରୀ ଟିକେଟକୁ ବିକ୍ରି କରାଯିବ । ପ୍ରଥମ ଥର ପାଇଁ ମହିଳା ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ଏହାରି ଭିତରେ ମଙ୍ଗଳବାର ଠାରୁ କ୍ରିକେଟ ପ୍ରେମୀଙ୍କ ଭିଡ଼ ଷ୍ଟାଡିଅମ ପରିସରରେ ଦେଖିବାକୁ ମିଳିଛି ।
ସେପଟେ ଆସନ୍ତା ୯ ତାରିଖ ରବିବାର ଦିନ ଖେଳାଯିବାକୁ ଥିବା ଦିନିକିଆ ଦିବାରାତ୍ର ମ୍ୟାଚ ପାଇଁ ୫ଟି ସ୍ଥାନରେ ହେବ ପାର୍କିଂ । ପ୍ରାୟ ପଚିଶ ହଜାର ଗାଡି ପାର୍କିଂ ପାଇଁ ଏହି ପାର୍କିଂ ପ୍ଲେସ୍ରେ ବ୍ୟବସ୍ଥା କରାଯାଉଛି । ଏହାବ୍ୟତୀତ ଦର୍ଶକଙ୍କୁ ବିକ୍ରି ହେବାକୁ ଥିବା ଖାଦ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଯିବ । ଖାଦ୍ୟର ମାନ ପାଇଁ ୫ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତେବେ ଟିକେଟ୍ ପାଇବାରୁ ବଂଚିତ ହୋଇଥିବା ଦର୍ଶକଙ୍କ ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆରେ ୩ଟି ପାର୍କ ଫାନ୍ ପାର୍କର ବ୍ୟବସ୍ଥା କରାଯାଇଛି । ମ୍ୟାଚ୍ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି କରାଯାଇଛି ।
କେନ୍ଦ୍ରାଞ୍ଚଳ ଆର୍ଡିସି ବି.ପରମେଶ୍ବରନଙ୍କ ସଭାପତିତ୍ବ ରେ ହୋଇଥିବା ବୈଠକରେ କଟକ ଜିଲ୍ଲାପାଳ, କଟକ ଡିସିପି, ଅତିରିକ୍ତ ପୋଲିସ କମିଶନର ଓ ଓସିଏ ପଦାଧିକାରୀ ଯୋଗ ଦେଇ ମ୍ୟାଚ ସୁପରିଚାଳନା ନେଇ ଆଲୋଚନା କରିଥିଲେ । ବିଶେଷ କରି ପରିମଳ, ପିଇବା ପାଣି, ସୁଲଭ ମୂଲ୍ୟରେ ଦର୍ଶକଙ୍କୁ ଖାଦ୍ଯ ଯୋଗାଇ ଦେବାକୁ ବୈଠକ ରେ ସ୍ଥିର କରାଯାଇଥିଲେ। ଟିକେଟ୍ କିଣିବା ପାଇଁ ବାରବାଟୀ ଷ୍ଟାଡିଅମ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୩୦ ହଜାର ଦର୍ଶକ ଏକତ୍ରିତ ହେବାର ଅନୁମାନ କରାଯାଉଛି ।
Comments are closed.