Latest Odisha News

ବାରବାଟୀ ଷ୍ଟାଡିୟମ: କିଛି କଥା, କିଛି ବେଦନା…

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ଗୁଗଲୀ’…

ଏଇ ରବିବାର ମାନେ ଡିସେମ୍ବର ୨୨ ତାରିଖ ଦିନ ପୁଣି ଝଲସି ଉଠିବ ଆମ ବାରବାଟୀ ଷ୍ଟାଡିୟମ । ଶେଷ ଦିନିକିଆରେ ବାଜିମାତ୍ କରିବାକୁ ଲଢେଇ କରିବେ ଇଣ୍ଡିଆ ଓ ଇଣ୍ଡିଜ । ଜଣେ କ୍ରୀଡ଼ା ସାମ୍ବାଦିକ, କ୍ରୀଡ଼ା ଭାଷ୍ୟକାର ତଥା ଜଣେ ନିରୋଳା ଖେଳ ପାଗଳ ଭାବରେ ବାରବାଟୀକୁ ଦେଖୁଛି ଚାରି ଦଶନ୍ଧି ଧରି । ଏହି ଏକଦିବସୀୟ ଲାଗି ଚଳଚଞ୍ଚଳ ବାରବାଟୀକୁ ଦେଖି ଖୁସି ତ ଲାଗୁଛି ହେଲେ ବର୍ତ୍ତମାନର କ୍ରୀଡ଼ା ବାବୁମାନଙ୍କ ଲାଗି କେବଳ କଳିଙ୍ଗ ନିୟମ ବନିଯାଇଥିବା ଦେଖି ବଡ଼ ଦୁଃଖ ବି ଲାଗୁଛି । ଭୈରବ ମହାନ୍ତିଙ୍କ ସ୍ୱପ୍ନ କେତେ ଝଡ଼- ତୋଫାନ ପରେ ସାକାର ରୂପ ପାଇବା ଓଡ଼ିଶାବାସୀଙ୍କ ଲାଗି ଆତ୍ମସମ୍ମାନ ବୃଦ୍ଧିର କାରଣ ବନିଥିଲା । ଏକ ଭଲ ମାନର ଷ୍ଟାଡିୟମ ହୋଇଯିବାରେ ଆପଣ ଛାଏଁ ବାରବାଟୀ ବନିଯାଇଥିଲା ଓଡ଼ିଶା କ୍ରୀଡ଼ାର ପ୍ରାଣକେନ୍ଦ୍ର । ଆଥଲେଟିକ୍ସ, ହକି, ଫୁଟବଲ୍ ସହ କ୍ରିକେଟ, କେତେ କେତେ ଖେଳରେ ଯୁବା ସପନ ବାଟ ପାଇଥିଲା ଏହି ପଡ଼ିଆ ଦେଇ ଆଗକୁ ଦୌଡ଼ିବାକୁ । ବାରବାଟୀରେ ଖେଳିବାର ସୁଯୋଗ ପାଇଲେ ହିଁ ଓଡ଼ିଶାର ଖେଳାଳି କିଛି ସ୍ତର ଛୁଇଁ ପାରିଲା ବୋଲି ମନେ କରୁଥିଲା । ମୁଁ ୬୦ କି ୭୦ ଦଶକର କଥା କହିବାକୁ ଚାହୁଁନି । ୮୦ ଓ ୯୦ ଦଶକରେ ବାରବାଟୀର ଭବ୍ୟତା ଓ ଖେଳ ପାଗଳମାନଙ୍କ ଉନ୍ମାଦ ଦେଖିଛି । ଯାହାଙ୍କୁ ବର୍ତ୍ତମାନର କ୍ରୀଡ଼ା ବାବୁମାନେ ଦେଖିନାହାଁନ୍ତି, ଜାଣିବେ ବି କିପରି?

୧୯୮୨-୮୩ ମସିହାରେ ତକ୍ରାଳୀନ ସୋଭିଏତ ସଂଘ ଫୁଟବଲ ଦଳର ଭାରତ ସହ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଦିନ ଲୋକ ଗହଳିର କଥା କ’ଣ କହିବି ? ଗ୍ୟାଲେରୀ ଛାଡ଼ନ୍ତୁ ପଡ଼ିଆ ଭିତରେ ଥିଲେ ହଜାର ହଜାର ଲୋକ । ଲାଇନ୍ ଦେଖାଯାଉ ନଥିଲା । ସେହିପରି ୯୦ ଦଶକର ପ୍ରାରମ୍ଭରେ ବିଜୁ ବାବୁ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ହେବା ପରେ କଳିଙ୍ଗ କପର ପୁନଃ ଆରମ୍ଭ ହୋଇଥିଲା । ସେହି ପ୍ରଥମ ବର୍ଷ ଫାଇନାଲରେ ପୁରା କଟକ ସହର ମ୍ୟାଚ ଦେଖିବାକୁ ଚାଲିଆସିଥିଲା ।

କ୍ରିକେଟ, ଫୁଟବଲ ଓ ହକି ବହୁ ବଡ଼ ମ୍ୟାଚ ହୋଇଛି ବାରବାଟୀରେ । ବଡ଼ ବଡ଼ ତାରକା ଖେଳିଯାଇଛନ୍ତି ଏଠାରେ । ବାରବାଟୀର ପାରିପାଶ୍ୱର୍ିକ ପରିବେଶ ଏବଂ ବ୍ୟବସ୍ଥାର ସମସ୍ତେ କରିଛନ୍ତି ଖୁବ ତାରିଫ । ମନେ ପଡୁଛି ୮୦ ଦଶକରେ ୱେଷ୍ଟଇଣ୍ଡିଜ ଦଳ ଏଠାରେ ଏକ ଟୁର୍ ଗେମ୍ ଖେଳିବାକୁ ଆସି ନଡିଆ ଗଛର ଗହଳ ଦେଖି ସ୍ୱଦେଶର ଭାବନା ଆଣିଥିଲା ମନରେ । ୧୯୮୭ ରିଲାଏନ୍ସ କ୍ରିକେଟ ବିଶ୍ୱକପ୍ ବେଳେ ଅଷ୍ଟ୍ରେଲିଆ- ଜିମ୍ବାୱେ ମ୍ୟାଚର ଧାରା ବିବରଣୀ ଦେବାକୁ ଆସି ଆମ କ୍ଲବ ଟାୱାରରେ ବସି ମହାନଦୀ ପଟୁ ବୋହି ଆସୁଥିବା ଥଣ୍ଡା ପବନରେ ମନ୍ତ୍ରମୁଗ୍ଧ ହୋଇଯାଇ ପ୍ରଶଂସାରେ ପୋତି ପକାଇଥିଲେ ଟ୍ରନୀ ଗ୍ରେ, ବିଲ୍ ଲରି, ରିଚି ବେନଙ୍କ ପରି ଲିଜେଣ୍ଡମାନେ । ସନ୍ତୋଷ ଟ୍ରଫି, ରଙ୍ଗସ୍ୱାମୀ କପ୍ର ରୋମାଞ୍ଚକର ଲଢ଼େଇ ସାକ୍ଷୀ ବନି ଆସିଛି ବାରବାଟୀ ।

ମୋ ଦେଖନ୍ତାରେ କେତେ କେତେ ନୂଆ କଥା ବାରବାଟୀରେ ସାମିଲ ହୋଇଛି । ନୂଆ ଡ୍ରେସିଂ ରୁମ୍ ହୋଇଛି । ବଢ଼ିଛି ଗ୍ୟାଲେରୀ ଆଉ ଲାଗିଛି ଫ୍ଲଡ ଲାଇଟ୍ । ହେଲେ ଖେଳ ଆୟୋଜନ ରାଜ୍ୟ କ୍ରୀଡ଼ା ସଂଘଗୁଡିକର ହାତରୁ ଖସି ସରକାରୀ କ୍ରୀଡ଼ା ବାବୁମାନଙ୍କ ପାଖକୁ ଯିବା ପରଠାରୁ ବାରବାଟୀ ଅଲୋଡା ହେବା ଆରମ୍ଭ କରିଛି । ଫୁଟବଲ୍ ପାଇଁ ଖାସ୍ ଦରଦ ରଖୁଥିବା କଟକରେ ବଡ଼ ଫୁଟବଲ୍ ମ୍ୟାଚ ନଯିବା ବଡ଼ ଆଶ୍ଚର୍ଯ୍ୟଜନକ କଥା । କ୍ରିକେଟରେ ବି ବାରବାଟୀ ଅଲୋଡ଼ା ହେଲାଣି । ଆଇପିଏଲ୍ ମ୍ୟାଚ ଆଉ ହେଉନି ଏଇଠି । ରଣ୍ଜୀ ମ୍ୟାଚ ବି ଆଗ ଭଳି ବେଶୀ ହେଉନି । ଏବେ ଖାଲି ଟିମ୍ ଇଣ୍ଡିଆର ମ୍ୟାଚ ଆସିଲେ ଝାଡିଝୁଡ଼ି ହେଉଛି ବାରବାଟୀ । ଏ ଅବସ୍ଥା ବଦଳିଯିବା ଦରକାର । ଆମର ଏହି ଏକମାତ୍ର ବିବିଧ କ୍ରୀଡ଼ା ଆୟୋଜନ କରିବାର କ୍ଷମତା ରଖୁଥିବା ଐତିହାସିକ ବାରବାଟୀକୁ ପ୍ରଦାନ ହେଉ ବଡ଼ ମ୍ୟାଚ । ଟେଷ୍ଟ ସେଣ୍ଟର କରିବାର ଉଦ୍ୟମ ପୁଣି ଥରେ ଜୋରଦାର ଭାବରେ ଆରମ୍ଭ ହେଉ । ଇଣ୍ଡିଆନ ସୁପରଲିଗ୍ର ମ୍ୟାଚ କିଛି ଯାଉ ବାରବାଟୀକୁ ।

ମୋର ଆଉ ଏକ ଭାବନା ଅନେକ ଦିନରୁ ମନରେ ଘର କରି ରହିଛି । ତା’ ହେଉଛି ଆମ ବାରବାଟୀର ଗ୍ୟାଲେରୀଗୁଡିକୁ ଆମ କ୍ରୀଡ଼ା ଲିଜେଣ୍ଡଙ୍କ ନାଁରେ ନାମିତ ହେଉ । ଦେଶର ପ୍ରାୟ ସବୁ ଷ୍ଟାଡିୟମରେ ତାହା ହୋଇଛି । ନିକଟରେ ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ଗ୍ୟାଲେରୀ ଉନ୍ମୋଚିତ ହୋଇଛି । ହାଇଦ୍ରାବାଦ ଉପ୍ପଲ ଷ୍ଟାଡିୟମରେ ଆଝାରଙ୍କ ନାଁରେ ଗ୍ୟାଲେରୀ ନାମିତ ହୋଇଛି ନିକଟରେ । ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସ, ଦିଲ୍ଲୀପ ତିର୍କୀ, ଶ୍ରଦ୍ଧାଞ୍ଜଳି ଏବଂ ଅନୁରାଧା ବିଶ୍ୱାଳ ଆଦିଙ୍କ ପରି ଲିଜେଣ୍ଡଙ୍କ ନାଁରେ ଗ୍ୟାଲେରୀ ନାମିତ ହେଉ । ଗୋଟିଏ ଦ୍ୱାର ଭୈରବ ମହାନ୍ତି ଗେଟ୍ ଭାବରେ ନାମିତ କରାଯାଉ ତଥା ଅନ୍ୟ ଗେଟ୍ ନନ୍ଦକୃଷ୍ଣ ଦାସଙ୍କ ନାଁରେ କରାଯାଉ ।

(ଲେଖକ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ତଥା ପ୍ରସିଦ୍ଧ କ୍ରୀଡ଼ା ସ୍ତମ୍ଭକାର)
Leave A Reply

Your email address will not be published.