Latest Odisha News

BREAKING NEWS

Barabati T20: କାଲିଠୁ ବାରବାଟୀ ପାଇଁ ଅନଲାଇନ୍ ଟିକେଟ ବିକ୍ରି; ଏତିକି ଟଙ୍କାରେ ମିଳିବ ଟିକେଟ…

କଟକ: ଆସନ୍ତା ଡ଼ିସେମ୍ବର ୯ ତାରିଖରେ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ।ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୧ ତାରିଖରେ ଅନଲାଇନରେ ଆରମ୍ଭ ହେବ ଟିକେଟ ବିକ୍ରି । ଏ ନେଇ ସୂଚନା ଦେଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଚଳିତ ମ୍ୟାଚ୍‌ରେ ଅନଲାଇନରେ କେବଳ ୨ ହଜାର ଟିକେଟ୍ ବିକ୍ରି କରାଯିବ ।

ଚଳିତଥର ୪୨ ହଜାର ଦର୍ଶକ ମ୍ୟାଚ ଦେଖିବେ। ତେବେ ୨୩ ହଜାର ଟିକେଟ ବିକ୍ରି କରାଯିବ। ୧୮ ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍‌ ଦିଆଯିବ। District by Zomato ଆପ୍‌ରେ ଉପଲବ୍ଧ ହେବ ଅନଲାଇନ୍ ଟିକେଟ୍ ।

ଟିକଟକୁ ନେଇ ଓସିଏ ସମ୍ପାଦକ କହିଛନ୍ତି ଯେ, ଗତ ଫେବୃଆରୀ ୯ରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦର୍ଶକ କ୍ଷମତା ୪୪,୫୦୦ ରହିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ ଲାଗି ଦର୍ଶକ କ୍ଷମତା ୪୨ ହଜାରକୁ ହ୍ରାସ କରାଯାଇଛି। ପୂର୍ବ ମ୍ୟାଚଠାରୁ ୨୫୦୦ ଟିକଟ ହ୍ରାସ କରାଯାଇଛି। ଦର୍ଶକଙ୍କ ସୁରକ୍ଷା ଓ ଦୀର୍ଘ ବର୍ଷର ଗ୍ୟାଲେରୀ ହୋଇଥିବାରୁ ଦର୍ଶକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ କରାଯାଇଛି।

ସାଧାରଣ ଦର୍ଶକଙ୍କ ଲାଗି ଅନଲାଇନରେ ଟିକଟ ସୋମବାରଠାରୁ ବିକ୍ରି କରାଯିବ। ଅନ୍‌ଲାଇନରେ ମୋଟ୍‌ ୨୦୦୦ ଟିକଟ ବିକ୍ରି କରାଯିବ। ସେହିପରି ଡିସେମ୍ବର ୫ରେ କାଉଣ୍ଟରରେ ଟିକଟ ବିକ୍ରି କରାଯିବ। କାଉଣ୍ଟରରେ ମୋଟ୍‌ ୧୦ ହଜାର ଟିକଟ ବିକ୍ରି ହେବ। ଗ୍ୟାଲେରୀ ୧ ଓ ୩ର ମୂଲ୍ୟ ୧୧୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ମୂଲ୍ୟ ୯୦୦ ଟଙ୍କା, ଗ୍ୟାଲେରୀ ୫ର ମୂଲ୍ୟ ୧୨୦୦ ଟଙ୍କା, ଗ୍ୟାଲେରୀ ୭ର ମୂଲ୍ୟ ୭୦୦ ଟଙ୍କା ରହିଛି। ଏହାଛଡ଼ା ସ୍ପେଶାଲ ଏନକ୍ଲୋଜର ୬୦୦୦ ଟଙ୍କା, ଏସି ବକ୍ସ ୮୦୦୦ ଟଙ୍କା, ନ୍ୟୁ ପ୍ୟାଭିଲିୟନ ୧୦୦୦୦ ଟଙ୍କା ଓ କର୍ପୋରେଟ ବକ୍ସ ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ରହିଛି।

ଯେଉଁମାନେ ଅନଲାଇନ ଟିକେଟ୍ କିଣିବେ ଆସନ୍ତା ଡ଼ିସେମ୍ବର ୮ ଓ ୯ରେ କେମ୍ବ୍ରିଜ୍ ସ୍କୁଲ୍‌ରୁ ସେମାନଙ୍କ ଟିକେଟ୍ ସଂଗ୍ରହ କରିବେ ।

ଡିସେମ୍ବର ୩ ତାରିଖ ଓ ୪ ତାରିଖରେ ଅନୁବନ୍ଧିତ କ୍ଲବ୍ ମାନଙ୍କୁ ଟିକେଟ୍ ବିକ୍ରି କରାଯିବ । ବାରବାଟୀ ଷ୍ଟାଡିୟମ୍ କାଉଣ୍ଟରରେ ଡିସେମ୍ବର ୫ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ବୈଧ ପରିଚୟପତ୍ର ସହ କିଣିପାରିବେ।

ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ। ଦର୍ଶକଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଖାଦ୍ୟ ଷ୍ଟଲ୍ ଉପଲବ୍ଧ କରାଯିବ। ଦର୍ଶକଙ୍କ ସୁବିଧା ପାଇଁ କଟକରେ ତିନୋଟି ଫାନ୍ ପାର୍କ (ଉପର ବାଲିଯାତ୍ରା ପଡ଼ିଆ, ତଳ ବାଲିଯାତ୍ରା ପଡ଼ିଆ ଏବଂ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ୍) ସ୍ଥାପନ କରାଯିବ।

Comments are closed.