Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ବି ଭୁବନେଶ୍ୱର ପ୍ରଧାନ କଂସ ହେବେ !

ବରଗଡ଼: କଂସ ଭୂମିକାର ଅଭିନେତା ଚୟନ ନେଇ ଗତ କିଛିଦିନ ହେଲା ଯେଉଁ ଅଚଳାବସ୍ଥା ଜାରି ରହିଥିଲା ଶେଷରେ ତାହାର ଅବସାନ ଘଟିଛି । ଗତଥର ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ ଏହି ବିଶାଳ ଖୋଲାମଞ୍ଚରେ କଂସ ଭୂମିକାରେ ଅଭିନୟ ଜାରି ରଖିବେ ।

ମିଳିଥିବା ସୂଚନାନୁଯାୟୀ, ଗୁରୁବାର ଦିନ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ କଂସଙ୍କ ସମେତ ଅନ୍ୟାନ୍ୟ କଳାକାରଙ୍କ ଚୟନ ପ୍ରକ୍ରିୟା ବା ଅଡ଼ିସନ ହେବନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କଳାକାର ଭୂବନେଶ୍ୱର ପ୍ରଧାନ ୨୦୧୭ ମସିହାରୁ ଏହି ମୁଖ୍ୟ ଭୂମିକାରେ ଅଭିନୟ କରିଆସୁଛନ୍ତି । ବରଗଡ଼ ଧନୁଯାତ୍ରା ସମନ୍ୱୟ କମିଟିର ନିୟମ ଅନୁଯାୟୀ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ୩ ବର୍ଷ ଲାଗି ଅଭିନୟ କରିପାରିବେ । ସେଥିଲାଗି ଭୁବନେଶ୍ୱର ପ୍ରଧାନ ପୂର୍ବରୁ ୨ ଥର ଅଭିନୟ କରିସାରିଥିଲେ ମଧ୍ୟ ଚଳିତବର୍ଷ ମଧ୍ୟ କଂସ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଧନୁଯାତ୍ରାର ଅନ୍ୟାନ୍ୟ ପ୍ରସଙ୍ଗ ଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରାଯାଇ ଆଲୋଚନା କରାଯାଇଥିଲା । ଆସନ୍ତା ଡ଼ିସେମ୍ବର ୧ ତାରିଖ ଦିନ ଶୁଭସ୍ତମ୍ଭ ସ୍ଥାପିତ ହେବ ବୋଲି ସୂଚନା ହସ୍ତଗତ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ନଭେମ୍ବର ୧୬ ତାରିଖ ସୁଦ୍ଧା କଂସ ସମେତ ଅନ୍ୟାନ୍ୟ କଳାକାର ମାନଙ୍କ ଚୟନ ପ୍ରକ୍ରିୟା ଲାଗି ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ଏପରିକି କଂସ ଭୂମିକା ନିମନ୍ତେ ନୂଆ ୧୦ ଜଣ ଅଭିନେତା ମଧ୍ୟ ଆବେଦନ ପତ୍ର ଦାଖଲ କରିଥିଲେ ।

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଡ଼ିସେମ୍ବର ୩୧ରୁ ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଉତ୍ସବ ଅନୁଷ୍ଠିତ ହେବ ।

Leave A Reply

Your email address will not be published.