Latest Odisha News

BREAKING NEWS

Bareilly Unrest : ବରେଲି ଦଙ୍ଗାରେ ବଡ଼ କାର୍ଯ୍ୟାନୁଷ୍ଠାନ: ମୌଲାନା ତୌକିର ରଜା ଗିରଫ, ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଲକ୍ଷ୍ନୌ:ବରେଲି ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନେ ମୌଲାନା ତୌକିର ରଜା ସମେତ ଆଠ ଜଣଙ୍କୁ ଗିରଫ କରି ଫାରୁଖାବାଦ ଜିଲ୍ଲାର ଫତେଗଡ଼ କେନ୍ଦ୍ରୀୟ କାରାଗାରକୁ ପଠାଇ ଦେଇଛନ୍ତି। ବିଭିନ୍ନ ଥାନାରେ ମୋଟ ୧୧ଟି ମାମଲା ମଧ୍ୟ ରୁଜୁ ହୋଇଛି। ଆଇଏମସି ମୁଖ୍ୟ ମୌଲାନା ତୌକିର ରଜାଙ୍କ ନାମରେ ସାତଟି ମାମଲାରେ ଅଭିଯୋଗ ଆସିଛି। ପୋଲିସ ପ୍ରାୟ ୩୯ଜଣଙ୍କୁ ଅଟକ ରଖିଛି ଏବଂ ସେମାନଙ୍କୁ ପଚରାଉଚରା କରୁଛି।

ସୂଚନାଥାଉକି, ଶୁକ୍ରବାର ନମାଜ ପରେ, ଆଇଏମସି ମୁଖ୍ୟ ମୌଲାନା ତୌକିର ରଜାଙ୍କ ଡାକରାରେ ଦଙ୍ଗାକାରୀମାନେ ଅନେକ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା ​​। ଏବେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମୌଲାନାଙ୍କୁ ପୋଲିସ ଗିରଫ କରି ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି।

ହିଂସାକାଣ୍ଡ​‌ରେ ୧୭ ଜଣ ପୁଲିସ କର୍ମୀ ଏବଂ ୪୦ରୁ ଅଧିକ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ହିଂସାକୁ ନେଇ ୨,୦୦୦ ଅଜ୍ଞାତ ଲୋକଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଛି।

ଏଥିସହ ବରେଲିରେ ଦୁଇ ଦିନ ପାଇଁ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଶନିବାର ରାତି ୧୨:୩୦ ରୁ ୨୯ ସେପ୍ଟେମ୍ବର ଦିନ ୧୨:୩୦ ପର୍ଯ୍ୟନ୍ତ ଟେଲିକମ୍ ସେବା ବନ୍ଦ ରହିବ। ଏହି ନିର୍ଦ୍ଦେଶ ଗୃହ ସଚିବ ଗୌରବ ଦୟାଲ ଜାରି କରିଛନ୍ତି।

ବରେଲି ହିଂସାର ତଦନ୍ତ ପାଇଁ ଏକ ୧୦ ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଛି। ଏହି ଦଳ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ।

ଅନ୍ୟପଟେ ଶନିବାର (୨୭ ସେପ୍ଟେମ୍ବର) ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ୟୁପିରେ ଦଙ୍ଗା ସୃଷ୍ଟି କରୁଥିବା ଦୁର୍ବୃତ୍ତମାନଙ୍କୁ କୌଣସି ମୂଲ୍ୟରେ ଛଡ଼ାଯିବ ନାହିଁ।

 

Comments are closed.