ଭୁବନେଶ୍ବର: ସାରା ଓଡିଶାରେ ସିଧା ପ୍ରସାରଣ ହେବ ବରଗଡ ପ୍ରସିଦ୍ଧ ଧନୁଯାତ୍ରା । ସବୁ ଜିଲ୍ଲାରେ ଏଲଇଡି ମାଧ୍ୟମରେ ଦେଖିବେ ରାଜ୍ୟବାସୀ । ଧନୁଯାତ୍ରାର ବହୁଳ ପ୍ରଚାର ପ୍ରସାର ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିବା କହି କିଛି ଏପରି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏଥିସହିତ ୨୦୨୫ ଧନୁଯାତ୍ରା ପାଇଁ ଅନୁଦାନ ରାଶିକୁ ୧ କୋଟି ଯାଏଁ ବୃଦ୍ଧି କରାଯିବା ନେଇ ସୂଚନା ଦେଇଛନ୍ତି ।
ଏନେଇ ମନ୍ତ୍ରୀ କହିଛନ୍ତି, ଏଥରର ଐତିହାସିକ ବରଗଡ ଧନୁଯାତ୍ରା ଓଡିଆ ଅସ୍ମିତାର ପରିଚୟ ଦେବ । ଏଥିପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ । ବରଗଡ ଧନୁଯାତ୍ରାରେ ଯେଉଁ କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରନ୍ତି, ସେମାନଙ୍କର ପୋଷାକ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ଏଥର ପ୍ରତ୍ୟୋକଙ୍କୁ ୧୦ ହଜାର ଲେଖାଏଁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଆଉ ୨୦୨୫ ଧନୁଯାତ୍ରା ଅନୁଦାନ ରାଶିକୁ ୧ କୋଟିକୁ ବୃଦ୍ଧି କରାଯାଇଛି ।
ଜାତୀୟ ନାଟ୍ୟ ବିଦ୍ୟାଳୟକୁ ଧନୁଯାତ୍ରା ଉପରେ ଏକ ପ୍ରାମାଣିକ ଚିତ୍ର ନିର୍ମାଣ ଏବଂ ବିଶଦ ତଥ୍ୟ ସଂଗ୍ରହ ନିମନ୍ତେ ଅନୁରୋଧ କରାଯାଇଛି । ବରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଧନୁଯାତ୍ରାକୁ ଜାତୀୟ ତଥା ୟୁନିସ୍କୋର ମାନ୍ୟତା ପ୍ରଦାନ ନିମନ୍ତେ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏହିଭଳି ପ୍ରଚାର ପ୍ରସାର ତଥା ପ୍ରାମାଣିକ ତଥ୍ୟ ସଂଗ୍ରହ ଅନେକ ପରିମାଣରେ ସହାୟକ ହୋଇପାରେ।
ତେବେ କହିରଖୁଛୁ, ବିଶ୍ୱର ସର୍ବବୃହତ ମୁକ୍ତାକାଶ ମଞ୍ଚ ନାଟକ ଧନୁଯାତ୍ରା ପ୍ରତିବର୍ଷ ପୌଷ ମାସରେ ଆରମ୍ଭ ହୋଇ ପୌଷପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଧନୁଯାତ୍ରାର ବିଶେଷତ୍ତ୍ୱ ହେଲା ଏଥିରେ ସାଧାରଣ ଜନତା ମଧ୍ୟ ନାଟକର ଜଣେ ଜଣେ ରୂପରେ ଅବତୀର୍ଣ୍ଣ ହୁଅନ୍ତି । ଏଥିରେ କୌଣସି ଲିଖିତ କଥା ବା ସଂଳାପ ନଥାଏ, ତଥାପି ଏହା ଏକ ଜୀବନ୍ତ ନାଟକ ଭଳି ଅଭିନୀତ ହୋଇଥାଏ । ଯାହାକ ବିଶ୍ବ ପ୍ରସିଦ୍ଧ ।
Comments are closed.