Latest Odisha News

BREAKING NEWS

ଜାଣନ୍ତୁ, ବରଗଡ଼ ଚାଷୀଙ୍କ ଚମତ୍କାରିତା; ମୋବାଇଲ୍ ଆପ୍ସରୁ କିପରି ଚାଷ ଶିଖି କଲେ ପ୍ରଚୁର ଅମଳ !

ବରଗଡ଼: ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳର ରାମକୃଷ୍ଣ ପଟେଲ୍ (୨୫) ଯିଏକି ନିକଟରେ କଳାରେ ଯୁକ୍ତ ୨ ପାସ କରିଛନ୍ତି ସେ ଏକ ବିରଳ କୃତୀତ୍ୱ ହାସଲ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଜିଲ୍ଲାର ରେମୁଡ଼ା ଜୁନିୟର କଲେଜରୁ ଯୁକ୍ତ ୨ ପାଶ କରିବା ପରେ ପରେ ତାଙ୍କର ପ୍ରାୟ ସମସ୍ତ ସହପାଠୀମାନେ ଛତିଶଗଡ଼ ରାଜଧାନୀ ରାୟପୁର ଚାଲିଗଲେ ରୋଜଗାର କରିବାର ଲକ୍ଷ୍ୟ ନେଇ, ମାତ୍ର ରାମକୃଷ୍ଣ ଗାଁ’ରେ ରହିଗଲେ । କିଛି ଗୋଟିଏ ନୂଆପ୍ରକାର କରିଦେଖାଇବାର ଝୁଙ୍କ୍ ତାଙ୍କୁ ଅସ୍ତବ୍ୟସ୍ତ କରିଦେଲା । ଗାଁ’ରେ ରହି କିପରି ଅଧିକ ରୋଜଗାର କରିପାରିବେ ତାକୁ ନେଇ ମନ ଭିତରେ ଚିନ୍ତା କରିବାକୁ ଲାଗିଲେ ରାମକୃଷ୍ଣ । ପରିଶେଷରେ ତାଙ୍କର ପୈତୃକ ସମ୍ପତ୍ତି ଅର୍ଥାତ୍ ଅଢେଇ ଏକର ପରିବ୍ୟାପ୍ତ ଚାଷଜମିରେ କିଛି ନୂଆପ୍ରକାର ଚାଷ କରି କିଛି ଚମତ୍କାରିତା ଦେଖାଇବାକୁ ମନସ୍ଥ କଲେ ସେ ।

ରାମକୃଷ୍ଣ ଗାଁ’ରେ ରହି ଚାଷକରିବାକୁ ରହିଗଲେ, ଅଢେଇ ଏକର ଜମିରେ କଲେ ଚାଷ । ଦୀର୍ଘ ୭/୮ ବର୍ଷ କୃଷିକାର୍ଯ୍ୟରେ ନିଜର ସମସ୍ତ ଶକ୍ତି ଖଟାଇଲେ । ପ୍ରଚୁର ଇଚ୍ଛାଶକ୍ତି ଏବଂ କଠୋର ପରିଶ୍ରମ ବଳରେ ସେ ଶେଷରେ ସଫଳତାର ଶୀର୍ଷରେ ପହଞ୍ଚିପାରିଲେ । ଆଜି ସେ ଶହ ଶହ ଯୁବକମାନଙ୍କ ଲାଗି ପ୍ରେରଣାର ଉତ୍ସ ହୋଇଛନ୍ତି ।

ରାମକୃଷ୍ଣ ତାଙ୍କ ଚାଷଜମିରେ ପ୍ରଥମେ ସାଧାରଣ ଭାବେ ଚାଷ ଆରମ୍ଭ କରୁଥିଲେ ମଧ୍ୟ ତାଙ୍କ ମନୋଭାବରେ ପରିବର୍ତ୍ତନ ହେଲା । ସେ ସେହି ଅଢେଇ ଏକର ବିଲରେ କିଛି ନୂତନ ଧରଣର କୃଷି ପଦ୍ଧତି ଅବଲମ୍ବନ କରି ଉତ୍ପାଦନ ବୃଦ୍ଧି କରିବାକୁ ଚିନ୍ତା କଲେ । ୨୦୧୭ରେ ସେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କୁରୁଆଁ ଗ୍ରାମରେ ଅନୁଷ୍ଠିତ ହେଉଥିବା ଏକ କୃଷି ଭିତ୍ତିକ ଟ୍ରେନିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ । ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦିଆଯାଉଥିବା ସମସ୍ତ କୃଷି ପରାମର୍ଶକୁ ମୋବାଇଲ୍ ଆପ୍ସରୁ ହିଁ ସହଜରେ ପାଇପାରିଲେ ରାମକୃଷ୍ଣ । ତାଙ୍କର ଚାଷ ଏବେ ବେଶ୍ ସହଜ ଓ ଅନେକ ସମୟ ସେ ବଞ୍ଚାଇ ପାରିଲେ । ଅଯଥା ଖର୍ଚ୍ଚାନ୍ତ ହେବାରୁ ସେ କ୍ଷାନ୍ତ ହେବା ସହିତ ତାଙ୍କ ବିଲରେ ପ୍ରଚୁର ଫସଲ ହେବାକୁ ଲାଗିଲା ।

ମୋବାଇଲ୍ ଆପ୍ସରୁ ସେ କିପରି କୃଷି ଉପକରଣ, ପାଣିପାଗ ସମ୍ପର୍କୀୟ ଆଗୁଆ ସୂଚନା, ବିହନ ବାବଦରେ ପରାମର୍ଶ ତଥା ଜଳସେଚନ ଏବଂ ସାର ଓ କୀଟନାଶକର ସଠିକ୍ ଓ ନିର୍ଭୂଲ୍ ପ୍ରୟୋଗ ସମ୍ପର୍କରେ ଅନେକ ଜ୍ଞାନ ଆହରଣ କରିପାରିଲେ । ମୋବାଇଲ୍ ଆପ୍ସ ତାଙ୍କୁ ତାଙ୍କ ଚାଷରେ ଅନେକ ସାହାଯ୍ୟ କରିପାରିଲା ।

ସେ ତାଙ୍କ ଚାଷଜମିରେ ନଡ଼ିଆ ଏବଂ କଲରା ଚାଷ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ପରିବା ଯଥା – ବାଇଗଣ, ଫୁଲକୋବି ତଥା ଭେଣ୍ଡି ଚାଷ କରିବାକୁ ଲାଗିଲେ । ରାମକୃଷ୍ଣଙ୍କ କହିବାନୁଯାୟୀ, କମ୍ପୋଷ୍ଟ ଖତ ବା ଅର୍ଗାନିକ୍ ଗୋବରରୁ ଚାଷଜମିରେ ଉପଯୋଗ କରି ସେ ଫସଲର ଉତ୍ପାଦନକୁ ଦ୍ୱିଗୁଣିତ କରିପାରିଥିଲେ ।

ପ୍ରଚୁର ଫସଲ ଉତ୍ପାଦନ ହେବାସହିତ ସେ ଏହାକୁ ବଜାରରେ ବିକ୍ରି କରିଲେ । ପ୍ରଚୁର ଲାଭ ମଧ୍ୟ ପାଇଲେ ରାମକୃଷ୍ଣ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପରିବା ବେପାରୀ ତାଙ୍କ ଘର ଆଗରେ ଭେଣ୍ଡି, କଲରା, ଫୁଲକୋବୀ ତଥା ନଡ଼ିଆ ନେବାକୁ ଧାଡ଼ି ଲଗାଇଲେ । ଭଲ ତଥା ବିନା କୀଟନାଶକ ପ୍ରୟୋଗରେ କିପରି ଅଧିକ ଉତ୍ପାଦନ ହୋଇପାରିବ ଏବେ ସେହି କୌଶଳର ଜ୍ଞାନ ଆହରଣ କରୁଛନ୍ତି ରାମକୃଷ୍ଣ ।

ଏବେ ରାମକୃଷ୍ଣଙ୍କ କୃଷିଫାର୍ମରେ ଭେଣ୍ଡି, ବନ୍ଧାକୋବି, ଫୁଲକୋବି, ଟମାଟୋ, ବାଇଗଣ, କଞ୍ଚାଲଙ୍କା ଏବଂ ବିନସ୍ ଚାଷ ହେଉଛି । ପ୍ରଚୁର ପରିବା ଚାଷରୁ ଅଧିକ ରୋଜଗାର ହେବା ସହିତ ରାମକୃଷ୍ଣ ୫୦ଟି ଛେଳି ରଖିଛନ୍ତି ।

Leave A Reply

Your email address will not be published.