Latest Odisha News

ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଗୋପପୁରରେ ସ୍ଥାପନ ହେଲା ଶୁଭସ୍ତମ୍ଭ

ବରଗଡ଼ର: ଆଉ କିଛି ଦିନର ଅପେକ୍ଷା । ଆଉ ତାପରେ ଜମିବ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏନେଇ ଗତ ୨୨ ତାରିଖରେ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ, ଗୋପପୁରରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି ।

ସମଲେଶ୍ଵରୀ ମନ୍ଦିର ଠାରେ ପରମ୍ପରା ଅନୁଯାୟୀ ପୂଜାପାଠ କରିବା ପରେ କୃଷ୍ଣ ଓ ବଳରାମଙ୍କୁ ବରଣ କରାଯାଇ ସାଂସ୍କୃତିକ ଶୋଭାଯାତ୍ରା ସହିତ ସ୍ଥାନୀୟ ଜୀରା ନଦୀ କୂଳରେ ରହିଥିବା କଦମ୍ବ ବନ ନିକଟକୁ ପହଞ୍ଚିଥିଲା । ଧନୁଯାତ୍ରାରେ ଯମୁନା ନଦୀ ପାଲଟୁଥିବା ଜିରା ନଦୀ କୂଳର କଦମ୍ବ ବୃକ୍ଷରେ ଧାର୍ଯ୍ୟ ଲଗ୍ନ ସମୟରେ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଶୁଭଧ୍ଵଜା ଲଗାଯାଇଥିଲା ।

ବରଗଡ଼ ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ମିଶ୍ର ପୂଜାର କର୍ତ୍ତା ହୋଇଥିବା ବେଳେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ, ଧନୁଯାତ୍ରା କମିଟି ର ସମ୍ପାଦକ ସୁରେଶ୍ବର ଶତପଥୀ ଙ୍କ ସହିତ ଗୋପପୁର କମିଟି ଓ ମଥୁରା କମିଟିର ବିଭିନ୍ନ ସଦସ୍ୟ ଓ ବହୁ କଳାକାର ଏହି ଶୁଭସ୍ତମ୍ଭ ସ୍ଥାପନ ସମୟରେ ଉପସ୍ଥିତ ଥିଲେ ।

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାରେ ଅମ୍ବାପାଲି ଗୋପପୁର ପାଲଟିଯାଇଥାଏ ଏବଂ ଏଠାକାର ବାସିନ୍ଦା ସେହି ଦ୍ଵାପର ଯୁଗର ମଣିଷ ପରି ନିଜକୁ ମନେ କରିଥାନ୍ତି । ତେବେ ଆଉ କିଛି ଦିନ ପରେ ଅମ୍ବାପାଳି ସମ୍ପୂର୍ଣ ଗୋପପୁରରେ ସଜାଡି ହୋଇଯିବ ଏବଂ ଏଠାକାର ଗୋପୀ ଗୋପାଙ୍ଗ ମାନଙ୍କୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିବ ।

Leave A Reply

Your email address will not be published.