Latest Odisha News

ବାରିପଦା ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର: ଆଜି ହାଇଦ୍ରାବାଦରୁ ଗୟା ଯାଉଥିବା ଏକ ବସ୍ ବାରିପଦା ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଓ ୬ ଜଣ ଗୁରୁତର ଆହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଏହି ଘଟଣାରେ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ବିନା ଖର୍ଚ୍ଚରେ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ଆହତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୫ଟାବେଳେ ବାରିପଦା ସ୍ଥିତ ବୁଢିଖାମାର ଦେଇଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଏକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଉକ୍ତ ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଥିଲେ । ବସଟି ହାଇଦ୍ରାବାଦରୁ ପ୍ରାୟ ୨୩ ଜଣ ପର୍ଯ୍ୟଟକଙ୍କୁ ନେଇ ଆସୁଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବସଟି ବିହାରର ଗୟା ଅଭିମୁଖେ ଯାଉଥିଲା। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିରୁ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଥିଲା ।

Comments are closed.