ଇନ୍ଦୋର: ଟି୨୦ କ୍ରିକେଟରେ ବରୋଦା ଟିମ ଇତିହାସ ରଚିଛି । ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ବରୋଦା ଟି୨୦ରେ ସର୍ବାଧିକ ଦଳଗତ ସ୍କୋର କରିବାରେ ବିଶ୍ୱ ରେକର୍ଡ କରିଛି । ସିକ୍କିମ ବିପକ୍ଷରେ ବରୋଦା ୫ ୱିକେଟରେ ୩୪୯ ରନର ବିଶାଳ ସ୍କୋର କରିଥିଲା । ଏହା ପୂର୍ବରୁ ଜିମ୍ବାୱେ ଏହି ରେକର୍ଡ କରିଥିଲା । ଗାମ୍ବିଆ ବିପକ୍ଷରେ ଜିମ୍ବାୱେ ୪ ୱିକେଟ ହରାଇ ୩୪୪ ରନ କରି ଏହି ରେକର୍ଡର ଅଧିକାରୀ ଥିଲା । ସିକ୍କିମ ୩୫୦ ରନର ଲକ୍ଷ୍ୟକୁ ପିଛା କରି ୭ ୱିକେଟ ବିିନମୟରେ ୮୬ ରନ କରି ୨୬୩ ରନ ବ୍ୟବଧାନରେ ପରାଜିତ ହୋଇଥିଲେ । ଭାନୁ ପୂନିଆ ୫୧ ବଲରେ ୫ ଚୌକା ଓ ୧୫ ଛକା ସହାୟତାରେ ୧୩୪ ରନ କରିଥିଲେ ।
ବରୋଦା ପ୍ରଥମ ଟିମ ଭାବେ ସୟେଦ ମୁସ୍ତାକ ଅଲି ଟ୍ରଫିରେ ୩୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛି । ଏହି ମ୍ୟାଚରେ ଦଳ ଗୋଟିଏ ଇନିଂସରେ ସର୍ବାଧିକ ୩୭ ଛକା ମାରିବାରେ ମଧ୍ୟ ରେକର୍ଡ କରିଛି । ଶାଶ୍ୱତ ରାଉତ ୪୩, ଅଭିମନ୍ୟୁ ସିଂ ୫୩, ଶିବଲିକ ଶର୍ମା ୫୫ ଓ ବିଷ୍ଣୁ ସୋଲାଙ୍କି ୫୦ ରନ କରିଥିଲେ । ସିକ୍କିମର ପେସ ବୋଲର ରୋଶନ କୁମାରଙ୍କ ନାମରେ ଅଲୋଡା ରେକର୍ଡ ସୃଷ୍ଟି ହୋଇଛି । ସେ ୪ ଓଭରରେ ୮୧ ରନ ଦେଇଥିଲେ । ସେ ମୋହିତ ଶର୍ମାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳୁଥିବା ମୋହିତ ଚଳିତ ବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪ ଓଭରରେ ୭୩ ରନ ଦେଇଥିଲେ ।
Comments are closed.