ଭୁବନେଶ୍ୱର: ପଦମପୁରର ନବି ନିର୍ବାଚିତା ବିଧାୟିକା ବର୍ଷା ସିଂ ବରିହା ଆଜି ଶପଥ ନେଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ପଦ ଓ ଶପଥ ନେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷା ଶନିବାର ଦିନ ଭୁବନେଶ୍ୱର ଆସିଥିଲେ । ସେ ପ୍ରଥମେ ନିଜ ଶ୍ୱଶୁର ଘରକୁ ଯାଇ ପରିବାର ଲୋକଙ୍କ ଆଶୀର୍ବାଦ ନେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ ।
ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମଧ୍ୟ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ । ସେଠାରେ ସୋମବାର ଶପଥ ନେବେ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତି ଥିଲେ।
ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଗତ ୫ ତାରିଖରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜୟଙ୍କ ଝିଅ ବର୍ଷା ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହ ତାଙ୍କର ଜୋରଦାର ଲଢେଇ ହୋଇଥିଲା । ବର୍ଷା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୭୯ ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟୀ ମୁକୁଟ ପିନ୍ଧିଥିଲେ ।
Comments are closed.